ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାହୁଲ ଗାନ୍ଧି ଆଜି ‘ମୋଦୀ ସାଙ୍ଗିଆ’ ମାମଲାରେ ସୁପ୍ରିମକୋର୍ଟକୁ ଯାଇଛନ୍ତି। ଆଜି ସେ ଗୁଜରାଟ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ପିଟିସନ ଦାଖଲ କରିଛନ୍ତି । ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଂଗ୍ରେସ ନେତାଙ୍କ ପିଟିସନ ବର୍ତ୍ତମାନ ଦାଖଲ ହୋଇଛି। ସୋମବାର ତାଙ୍କ ଓକିଲ ପ୍ରଧାନ ବିଚାରପତିଙ୍କୁ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିପାରନ୍ତି।

ଉଲ୍ଲେଖ ଥାଉ କି ଗତ ୭ ତାରିଖରେ ମୋଦୀ ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଗୁଜରାଟ ହାଇକୋର୍ଟ ଝଟ୍‌କା ଦେଇଥିଲେ | ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ ରାହୁଲଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ୨୦୧୯ରେ ମୋଦୀ ସାଙ୍ଗିଆକୁ ନେଇ ରାହୁଲଙ୍କ ଟିପ୍ପଣୀ ପାଇଁ ଗୁଜରାଟର ସେସନ୍ସ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ରାହୁଲ ଗାନ୍ଧି ସଂସଦ ସଦସ୍ୟତା ହରାଇବା ସହ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ।

ମାନହାନି ଦଣ୍ଡାଦେଶକୁ ଚ୍ୟାଲେଂଜ କରି ରାହୁଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ମଧ୍ୟ ତଳ ଅଦଲତଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ । ତଳ ଅଦାଲତ ଅପରାଧିକ ମାନହାନି ମାମଲାରେ ତାଙ୍କୁ ଯେଉଁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ତାହା ଯଥାର୍ଥ, ନ୍ୟାୟସଙ୍ଗତ ଏବଂ ବୈଧ ବୋଲି ବିଚାରପତି କହିଥିଲେ ତଳ ଅଦାଲତଙ୍କ ରାୟ ଉପରେ ରୋକ୍‌ ଲଗାଇବା ପାଇଁ କୌଣସି ତର୍କସଙ୍ଗତ ଆଧାର ନାହିଁ ବୋଲି ମଧ୍ୟ ଅଦାଲତ ସ୍ପଷ୍ଟ କରିଦେଇଥିଲେ । ୨୦୧୯ ଲୋକସଭା ନିର୍ବାଚନ‌ ପୂର୍ବରୁ କର୍ଣ୍ଣାଟକର କୋଲାରରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ କହିଥିଲେ, ସବୁ ଚୋରଙ୍କର ସାଙ୍ଗିଆ ମୋଦୀ ହେଲା କେମିତି। ଏହି ଟିପ୍ପଣୀ ଲାଗି ଗୁଜରାଟର ‘ବିଜେପି’ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେଶ ପଟେଲ୍‌ ରାହୁଲ୍‌ଙ୍କ ନାମରେ ମାମଲା ରୁଜୁ କରିଥିଲେ। ମାର୍ଚ୍ଚ ୨୩ ତାରିଖ ଦିନ ସୁରତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍‌. ଏଚ୍‌. ବର୍ମା ରାହୁଲ୍‌ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ।

Comments are closed.