ଆଜି ଅଯୋଧ୍ୟା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀରାମ ନଗରୀ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ ସେଠାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆଜି ଅଯୋଧ୍ୟାରେ ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ କରିବେ। ଏଥିସହ ନବୀକୃତ ଅଯୋଧ୍ୟା ଧାମ ଜଙ୍କସନ୍ ରେଲୱେ ଷ୍ଟେସନର ଲୋକାର୍ପଣ ଏବଂ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ ମୋଦି।

ଅଯୋଧ୍ୟା ଧାମ ଜଙ୍କସନ ରେଳଷ୍ଟେସନର ଉଦଘାଟନୀ ଅବସରରେ ଆଜି ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଟ୍ରେନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି। ଅଯୋଧ୍ୟାରୁ ଭିଡିଓ କନଫରେନସିଂ ଜରିଆରେ ମୋଟ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟନମ ଷ୍ଟେସନରେ ସାଂସଦ ଏବଂ ବିଧାୟକମାନେ ଟ୍ରେନକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.