ଆମ୍ୱେଦକରଙ୍କ ନୂଆ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ପାଳନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ପରିସରରେ ଆଜି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ସମେତ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅନେକ ବିଚାରପତି ଉପସ୍ଥିତ ଥିଲେ। ୭ ଫୁଟ ଉଚ୍ଚତା ବିଶିଷ୍ଟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସୁପ୍ରିମକୋର୍ଟ ପରିସରରେ ସମ୍ମୁଖଭାଗ ଲନ୍ ଏବଂ ବଗିଚାରେ ସ୍ଥାପନ କରାଯାଇଛି। ଆମ୍ବେଦକର ଏଥିରେ ଆଇନଜୀବୀଙ୍କ ଗାଉନ୍‌ ପିନ୍ଧିବା ସହିତ ହାତରେ ସମ୍ବିଧାନ ପୁସ୍ତକ ଧରିଛନ୍ତି। ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ରାଷ୍ଟ୍ରପତି ଓ ପ୍ରଧାନ ବିଚାରପତି ଚାରା ରୋପଣ କରିଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସର୍ବ ଭାରତୀୟ ନ୍ୟାୟିକ ସେବା ଆରମ୍ଭ ପାଇଁ ପରାମର୍ଶ ଦେଇଛନ୍ତି। ଏହା ହେଲେ ନ୍ୟାୟପାଳିକାକୁ ଯୁବ ପ୍ରତିଭାମାନେ ଆସିପାରିବେ। ରାଷ୍ଟ୍ରପତି କହିଛନ୍ତି, ସାମ୍ବିଧାନିକ ଢାଞ୍ଚାରେ ନ୍ୟାୟପାଳିକାର ସ୍ଥାନ ସ୍ବତନ୍ତ୍ର। ଭାରତୀୟ ନ୍ୟାୟପାଳିକାରେ ବିବିଧତାର ପ୍ରତିନିଧିତ୍ବ ଲୋକଙ୍କୁ ଉତ୍ତମ ନ୍ୟାୟ ପ୍ରଦାନରେ ନିଶ୍ଚିତଭାବେ ସହାୟକ ହେଉଛି। ଯଦି ପ୍ରତିଭା ଭିତ୍ତିରେ ପ୍ରତିଯୋଗିତା ଏବଂ ସ୍ବଚ୍ଛ ପ୍ରକ୍ରିୟାରେ ବିଭିନ୍ନ ପୃଷ୍ଠଭୂମିରୁ ବିଚାରପତିମାନଙ୍କୁ ନିଯୁକ୍ତ କରାଯାଏ ତାହେଲେ ଏହି ବିବିଧୀକରଣ ବ୍ୟବସ୍ଥା ଆହୁରି ତ୍ବରାନ୍ବିତ ହେବ। ଏଥିସହିତ କମ୍ ପ୍ରତିନିଧିତ୍ବ ପାଇଥିବା ସାମାଜିକ ବର୍ଗର ଲୋକଙ୍କୁ ମଧ୍ୟ ଏହି ବ୍ୟବସ୍ଥା ସୁଯୋଗ ପ୍ରଦାନ କରିବ ବୋଲି ରାଷ୍ଟ୍ରପତି କହିଥିଲେ।

Comments are closed.