ବିଗବସରେ ପ୍ରକୃତି

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ପ୍ରକୃତି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିବାକୁ ଯାଉଛି ବଡ ସୁଯୋଗ । ସବୁଠୁ ଚର୍ଚ୍ଚିତ ଓ ଲୋକପ୍ରିୟ ରିଅଲିଟି ସୋ’ ବିଗବସ୍ ରେ ନଜର ଆସିପାରନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଗ ବସ୍ ୧୬ । ସୋ’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ସୋ’ରେ ପ୍ରକୃତି ମିଶ୍ର ଭାଗ ନେବା ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ପ୍ରକୃତି ଅନ୍ୟ ଏକ ରିଅଲିଟି ସୋ’ ଏସ ଅଫ ସ୍ପେସ ସିଜନ ୨ରେ ଅଂଶଗ୍ରହଣ କରି ସାରିଛନ୍ତି ।

ପ୍ରକୃତି ବିଗ ବସ୍ ସିଜିନ ୧୬ରେ ଭାଗ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଚର୍ଚ୍ଚା ସତ ହୁଏ ତେବେ ଜାତୀୟସ୍ତରରେ ପୁଣି ଥରେ ହଇଚଇ ସୃଷ୍ଟି କରିବେ ଓଲିଉଡ ଅଭିନେତ୍ରୀ ପ୍ରକୃତି । ବର୍ତ୍ତମାନ ସେ ମୁମ୍ବାଇରେ ନାନା ପାଟେକରଙ୍କ ସହ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ମାତ୍ର ୫ ବର୍ଷ ବୟସରେ ଅଭିନୟ ଜଗତରେ ପାଦ ଥାପିଥିଲେ ପ୍ରକୃତି । ସାବତ ମାଆ, ଶାଶୁଘର ଚାଲିଯିବ ଆଦି ଫିଲ୍ମରେ ଶିଶୁ କଳାକାର ଭାରେ ପ୍ରକୃତିଙ୍କ ଅଭିନୟ ଯାଦୁ ଦେଖିବାକୁ ମିଳିଛି । ଏହାପରେ ଓଲିଉଡରେ ଗୋଟିଏ ଗୋଟିଏ ପରେ ଫିଲ୍ମରେ ଅଭିନୟ କରିଥିଲେ ପ୍ରକୃତି । ଜି-ଟିଭିର ଇଣ୍ଡିଆଜ ବେଷ୍ଟ ସିନେ ଷ୍ଟାର କି ଖୋଜ ରିଅଲିଟି ସୋ’ରେ ଭାଗ ନେଇଥିଲେ ପ୍ରକୃତି ମିଶ୍ର । ବିଟ୍ଟି ବିଜନେସ ୱାଲିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ପ୍ରକୃତି ମିଶ୍ର ।

ଓଡିଆ ଫିଲ୍ମ ହେଲୋ ଆର୍ସି ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ କଣ୍ଠଶିଳ୍ପୀ କ୍ରିଷ୍ଣା ମିଶ୍ରଙ୍କ ଝିଅ ପ୍ରକୃତି । ନିକଟରେ ବ୍ୟକ୍ତିଗତ ବିବାଦରେ ଛନ୍ଦି ହୋଇ ଚର୍ଚ୍ଚାରେ ଥିଲେ ପ୍ରକୃତି । ଅଭିନେତା ବାବୁସାନଙ୍କ ସହ ସମ୍ପର୍କରୁ ନେଇ ବିବାଦୀୟ ହୋଇଥିଲେ ପ୍ରକୃତି ମିଶ୍ର ।ଏହାରି ଭିତରେ ସୋ’ର ଏକ ପ୍ରୋମୋ ରିଲିଜ କରି ଦର୍ଶକଙ୍କ ଉତ୍କଣ୍ଠା ବଢାଇଛନ୍ତି ବିଗ ବସ୍ । ଏଯାଏଁ ବିଧିବଦ୍ଧ ଭାବେ କୌଣସି ପ୍ରତିଯୋଗୀଙ୍କ ନାମ ଘୋଷଣା ହୋଇନାହିଁ ।

Comments are closed.