ପୁଲିସକୁ ବି ଚୁନ ଲଗାଇଦେଲା 420 ଠକ !!

ସୁନ୍ଦରଗଡ(ସରୋଜ ସିଂ) : ସୁନ୍ଦରଗଡ ଟାଉନ ପୋଲିସ ଜଣେ 420 ଠକକୁ ସୁନ୍ଦରଗଡ ଆନମ୍ବିଆନ୍ସ ହୋଟଲ ପରିସରରରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଟାଉନ ଥାନରେ ଗତ 10 ତାରିଖରେ ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ ଗର୍ଡିଆ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ଟାଉନ ପୋଲିସ ଟାଉନ ଥାନା କେଶ ନମ୍ବର – 14 ରେ ଏକ ମାମଲା ରୁଜ୍ଜୁ କରିଥିଲା । ତେବେ ଟାଉନ ପୋଲିସ ଓ ଲେଫ୍ରିପଡା ଥାନା ଅଧିକାରୀ କୌଶଳ କ୍ରମେ ସଂପୃକ୍ତ ଅଭିଯୁକ୍ତକୁ ଗତକାଲି ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ହେଲା – ଚତୁର୍ଭୁଜ ତରାଇ ଓରଫ ମାନସ ଦାସ ଓରଫ ଦୀପକ ପଣ୍ଡା । ଏହି ତିନୋଟି ଯାକ ନାମ ରଖି ସେ ସମସ୍ତଙ୍କୁ ଠକି ଚାଲିଥିଲା । ବୈଶିଙ୍ଗା ଏସ ଆଇ ଦୀପକ ପଣ୍ଡା ନାମରେ ଏକ ଫେକ ଫେସବୁକ ଆଇଡି ଖୋଲି ସେ ଓଡିଶାର ବହୁ ପୋଲିସଙ୍କୁ ତା ବନ୍ଧୁତ୍ୱ ଜାଲରେ ଫସାଇ ସେମାନଙ୍କ ଟଙ୍କା ସବକୁ ଚଳୁ କରିଥିଲା । କାହାକୁ ଭୁବନେଶ୍ୱରେ ପାଖାପାଖି ରହିବା ନେଇ ଜମିକିଣିବା ବାହାନାରେ ତ ପୁଣି କାହାକୁ ବା କାହାର ସଂପର୍କୀୟଙ୍କୁ ଫରେଷ୍ଟ ଗାର୍ଡ , ପୋଲିସ କନେଷ୍ଟବଳ , ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର ପରି ଚାକିରି କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବା କଥା ଜଣା ପଡିଛି । ଏହି ସମସ୍ତ ତଥ୍ୟ ଟାଉନ ପୋଲିସର ତଦନ୍ତରେ ଜଣା ପଡିଛି । ତେବେ ଅଭିଯୁକ୍ତ ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ ଗର୍ଡିଆଙ୍କ ସହିତ ବନ୍ଧୁତ୍ୱର ସଂପର୍କ ରଖି ତାଙ୍କ ଘରକୁ ଯିବା ଆସିବା କରିବା ସହ ତାଙ୍କର ୱିକ୍ ସମୟରେ ତାଙ୍କୁ ଠକାମୀର ଜାଲରେ ପକାଇଥିଲା । ଭୁବନେଶ୍ୱରରେ 4 ଡିସିମିଲ ଜାଗା କିଣିଦେବା ନେଇ ସେ ହେମାଙ୍ଗୀନୀ ଗର୍ଡିଆଙ୍କ ଠାରୁ ପ୍ରଥମ ଦଫାରେ 1,20,000 ଟଙ୍କା , ଦ୍ୱିତୀୟ ଦଫାରେ 3, 30, 000 ଟଙ୍କା ନେଇ ସାରିବା ପରେ ଜମି ରେଜିଷ୍ଟ୍ରେସନ କରୁ ନଥିଲା । ହେମାଙ୍ଗୀନୀ ଗର୍ଡିଆ ଏ ନେଇ ତା ଉପରେ ଚାପ ପକାଇବାରୁ ସେ ଆଉ ଅଧିକ 50 ହଜାର ଟଙ୍କା ଲାଗିବ କହି ତାଙ୍କୁ ଟଙ୍କା ଦାବି କରିଥିଲା । ଇତି ମଧ୍ୟରେ ଠକର ସଂପୂର୍ଣ୍ଣ ଜନ୍ମ କୁଣ୍ଡଳୀ ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ ଗର୍ଡିଆ କାଢି ସାରିଥିଲେ । ସେହି ଯୋଜନା ମୁତାବକ ସେ ଠକକୁ ଅଧିକ 50 ହଜାର ଟଙ୍କା ସୁନ୍ଦରଗଡକୁ ଆସି ନେବା ପାଇଁ କହିଥିଲେ । ଠକ ପୋଲିସର ଏହି ଯୋଜନାରେ ଧରା ପଡିଥିଲା । ତେବେ ଗତକାଲି ସେ କେବଳ ଟଙ୍କା ନେଇ ପାର ହେବାକୁ ଚେଷ୍ଟା କରି ନଥିଲା , ସେ ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ ଗର୍ଡିଆଙ୍କ ତଣ୍ଟି ଚିପି ହତ୍ୟା କରିବାର ଉଦ୍ୟମ କରିଥିଲା ବୋଲି ପୋଲିସ କହିଛି । ତେବେ ଲେଫ୍ରିପଡା ଥାନା ଅଧିକାରୀଙ୍କ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ସଂପୃକ୍ତ ଠକକୁ କାବୁ କରିଥିଲେ । ପରେ ଟାଉନ ପୋଲିସ ପହଞ୍ଚି ଅଭିଯୁକ୍ତ ଚତୁର୍ଭୁଜ ତରାଇ ଓରଫ ମାନସ ଦାସ ଓରଫ ଦୀପକ ପଣ୍ଡାକୁ ଗିରଫ କରି ଟାଉନ ଥାନାକୁ ଆଣିଥିଲା । ପଚରାଉଚରା କରିବା ପରେ ଅଭିଯୁକ୍ତ ତା ଘର ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜଗଡିହି ବୋଲି ପୋଲିସକୁ କହିଛି । ତେବେ ଅଭିଯୁକ୍ତ ନାମରେ ଭୁବନେଶ୍ୱର କ୍ୟାପିଟାଲ ଥାନା କେଶ ନମ୍ବର 399/2019 ( Capital ps case no-399,date- 01.11.2019,u/s- 420 IPC ) ରେ 420 ମାମଲା ରୁଜ୍ଜୁ ହୋଇଥିବା ବେଳେ ସୁନ୍ଦରଗଡ ଟାଉନ ପୋଲିସ ଅଭିଯୁକ୍ତ ଚତୁର୍ଭୁଜ ତରାଇ ଓରଫ ମାନସ ଦାସ ଓରଫ ଦୀପକ ପଣ୍ଡାକୁ ଦଫା – 417/419/420/294/307/468/471/506/323/354 IPC ରେ ଆଜି କୋର୍ଟ ଚାଲାଣ କରିଛି ।

 

Comments are closed.