ପିହୁର ମା’ଙ୍କୁ ଉଠାଇନେଲା ପୋଲିସ

କଟକ,୨୪ ।୨: ଯାଜପୁର ବହୁଚର୍ଚ୍ଚିତ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାରେ ଆସିଛି ନୂଆ ମୋଡ । ଭୁବନେଶ୍ୱର ଆସୁଥିବା ପିହୁର ମା’ ମୋନାଲିସା ନାୟକଙ୍କୁ ଉଠାଇନେଇଛି ପୋଲିସ । ଓଏମପି ଛକରେ ବସ୍ ଅଟକାଇ ପିହୁର ମାଙ୍କୁ କବଜାକୁ ନେଇଛି ପୋଲିସ । ଚାଉଳିଆଗଞ୍ଜ ଥାନାକୁ ନେଇ ପିହୁଙ୍କ ମା’ଙ୍କୁ ପଚରାଉଚରା କରୁଛି ପୋଲିସ । ଥାନାରୁ ନିଜ ହେପାଜତରେ ପୋଲିସ ତାଙ୍କୁ ଭୁବନେଶ୍ୱର ନେଉଥିବା ସୂଚନା ମିଳିଛି । ଏ‍ବେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ ତାରିଖ ଦିନ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସୁନ୍ଦରପୁର ଗ୍ରାମର ଲକ୍ଷ୍ମଣ କୁମାର ନାୟକ ଓ ମୋନାଲିସା ନାୟକଙ୍କ ଅଢେଇ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ହୋଇଥିଲା। ସବୁଆଡେ ଖୋଜା ଖୋଜି କରିବା ପରେ ବି ପିହୁର ପତ୍ତା ମିଳିନଥିଲା । ଘଟଣାକୁ ଏଥିମଧ୍ୟରେ ୬ମାସ ବିତିସାରିଛି। କୁନି ଝିଅକୁ ଖୋଜିବାକୁ ଯାଜପୁର ଏସପି ୫ଟି ଟିମ୍ ଗଠନ କରିଥିଲେ ସୁଦ୍ଧା ଏଯାଏ ସନ୍ଧାନ ମିଳିପାରୁନି। ପିହୁ ନିଖୋଜ ଘଟଣାରେ ପୁଲିସ ଗତ ୧୪ ତାରିଖରେ ପୋଷ୍ଟର ଲଗାଇବା ସହ ଘର ପାଖରେ ଥିବା ପୋଖରୀକୁ ଶୁଖାଇଥିଲା। ହେଲେ କୌଣସି ସୁରାକ୍‌ ପାଇ ନଥିଲା। ଏହାସହ ଫେବୃଆରୀ ୧୮ ତାରିଖରେ ଅଗ୍ନିଶମବାହିନୀ ଦ୍ୱାରା ଆଉ ଏକ ପୋଖରୀ ଶୁଖାଇ ପଙ୍କ ଘାଣ୍ଟି ନିରାଶ ହୋଇଥିଲା ପୋଲିସ । ପୋଲିସ କାହାକୁ କିଛି ନ ପଚାରି ତଦନ୍ତ ଚାଲିଛି କହି ଚୁପ୍ ବସିଛି ବୋଲି ଅଭିଯୋଗ ହୋଇଛି । ନିଖୋଜ ପିହୁ ସମ୍ପର୍କରେ ପୋଲିସକୁ ଖବର ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏକ ପୋଷ୍ଟର ମରାଯାଇଥିଲା ।

Comments are closed.