କଣ୍ଟେନମେଣ୍ଟ ଯୋନରେ ଅବ୍ୟବସ୍ଥାକୁ ନେଇ ଜାତୀୟ ରାଜପଥ ଅବରୋଧ

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : କରୋନାର କାୟା ଦିନକୁ ଦିନ କେନ୍ଦୁଝରରେ ବଢ଼ିବାରେ ଲାଗିଛି । ବର୍ତମାନ ଜିଲ୍ଲାରେ ଏହି ସଂଖ୍ୟା ୩୦ରେ ପହଞ୍ଚିଲାଣି । ଗତ ୨୬ ତାରିଖ କେନ୍ଦୁଝର ଗଡ଼ ପୌର ପରିଷଦର ୫ ନମ୍ବର ୱାର୍ଡ଼ ଢିପାଶାହିରେ କୋଭିଟରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ କରୋନା ବାହାରିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରି ୧୪୪ ଧାରା ଲାଗୁ କରାଯାଇଥିଲା । ଏହି ଅଞ୍ଚଳ ଭିତରକୁ କାହାରିକୁ ଯିବା ଆସିବା ପାଇଁ ବାରଣ କରାଯାଇଛି । ୭୨ ଘଣ୍ଟା ବିତି ଯିବା ପରେ ଏହି ଅଞ୍ଚଳ ବାସୀଙ୍କୁ ଦୀର୍ଘ ୮ ଦିନ ହେଲା ଅନ୍ଧାରରେ ରଖାଯାଇଛି । ପ୍ରଶାସନ ପକ୍ଷରୁ ଏମାନଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ । ନିୟମ ମୁତାବିକ ଲୋକଙ୍କ ନିକଟରେ ଖାଦ୍ୟ ସାମଗ୍ରି ପହଞ୍ଚାଯାଉନାହିଁ । କୌଣସି ଅଧିକାରୀଙ୍କୁ ଫୋନ କଲେ କେହି ସୁଣୁନାହାନ୍ତି । ଏହିପରି ଅଭିଯୋଗ ନେଇ ଅଞ୍ଚଳବାସୀ ଏନଏଚ ୪୯କୁ ଅବରୋଧ କରିଛନ୍ତି । ଏଠାରେ ବସବାସ କରୁଥିବା ଅଧିକାଂଶ ଲୋକ ଦିନ ମଜୁରିଆ । ଏଣୁ ଭୋକରେ ଆଉଟୁ ପାଉ ଟୁ ହୋଇ ଏହି ପନ୍ଥା ଆପଣାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ପରେ ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ମୁନିସିପାଲିଟି ନିର୍ବାହୀ ଅଧିକାରୀ ପ୍ରମୁଖ ପହଞ୍ଚି ଆଲୋଚନା କରିଥିଲେ । ଆଲୋଚନା ପରେ ତହସିଲଦାର ପ୍ରତ୍ୟେକ ଦିନ ଆସି କଣ୍ଟେନମେଣ୍ଟ ଜୋନ ଲୋକଙ୍କ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିବେ । ଆସନ୍ତା 5 ତାରିଖ ପର୍ଯ୍ୟନ୍ତ କଟକଣା ବୃଦ୍ଧି କରାଯାଇଥିବା ସୂଚନା ରହିଛି ।

Comments are closed.