ସଂସଦ ଆଗତ ହେଲା ଆଉ ଏକ ବିବାଦୀୟ ବିଲ୍

ନୂଆଦିଲ୍ଲୀ: ଦିଲ୍ଳୀ ସରକାର ସଂକ୍ରାନ୍ତ ସୁପ୍ରିମ କୋର୍ଟଙ୍କ ରାୟକୁ ନିରସ୍ତ୍ର କରିବା ଲାଗି ସଂସଦରେ ବିବାଦୀୟ ବିଲ୍ ପାସ୍ କରି ଚର୍ଚ୍ଚାରେ ରହିଥିବା ମୋଦୀ ସରକାର ଆଜି ରାଜ୍ୟସଭା‌ରେ ଏଭଳି ଆଉ ଏକ ବିବାଦୀୟ ବିଲ୍ ଆଣିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବ‌ାଚନ କମିସନର ନିଯୁକ୍ତିରେ ନିରପେକ୍ଷତା ଏବଂ ସ୍ବଚ୍ଛତା ଅବଲମ୍ବନ ଲାଗି ଗଠିତ କମିଟିରୁ ଭାରତର ପ୍ରଧାନ ବିଚାରପତିଙ୍କ ନାମକୁ ବାଦ୍ ଦେଇ ଏକ ବିଲ୍ ଆଗତ କରିଛନ୍ତି। ଏହି ତିନି ଜଣିଆ କମିଟିରେ ପ୍ରଧାନମନ୍ତ୍ରୀ ଓ ଲୋକସଭାରେ ବିରୋଧୀ ଦଳର ନେତା ଥିବା ବେଳେ ପ୍ରଧାନ ବିଚାରପତିଙ୍କ ନାମକୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ବ‌ାରା ମନୋନୀତ ଜଣେ କେନ୍ଦ୍ର ମନ୍ତ୍ରୀ ରହିବେ। ଏଭଳି ବିଲକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଅସାମ୍ବିଧାନିକ ବୋଲି ବର୍ଣ୍ଣନା କରିଛନ୍ତି। ଏହାକୁ ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିବସ ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ସୁପ୍ରିମ କୋର୍ଟଙ୍କ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ରୁଲିଂ ଦେଇଥିଲେ ଯେ ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କୁ ବାଛିବା ଲାଗି ଏକ ତିନି ଜଣିଆ କମିଟି ରହିବ। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ ଏବଂ ଏଥିରେ ପ୍ରଧାନ ବିଚାରପତି ଓ ଲୋକସଭାରେ ବିରୋଧୀ ଦଳର ନେତା କମିଟିର ସଭ୍ୟ ରହିବେ। ଜଷ୍ଟିସ କେଏମ୍ ଯୋଶେଫଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବେଞ୍ଚ ନିର୍ବାଚନ କମିସନର କାର୍ଯ୍ୟରେ ନିରପେକ୍ଷତା ଓ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ଦେଇଥିଲେ। ତେବେ ସଂସଦରେ ଏସଂକ୍ରାନ୍ତ ଆଇନ ଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲାଗୁ ରହିବ। ସୁପ୍ରିମ କୋର୍ଟଙ୍କ ରୁଲିଂ ଅନୁସାରେ ଏମିତି କମିଟି ଗଠନ ହେବ ବୋଲି ଆଶା କରାଯାଉଥିବା ବେଳେ ସରକାର ଏଥିରେ ନିଜକୁ ସୁହାଇଲା ଭଳି ବ୍ୟବସ୍ଥା କରିଛନ୍ତି। କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦେଇ ତାଙ୍କ ସ୍ଥାନରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସଭ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନେଇ କମିଟି ଗଠିତ ହେବ ଏବଂ ଏହା ମୁଖ୍ୟ ନିର୍ବାଚନ କମିସନର ଓ ନିର୍ବାଚନ କମିସନରମାନଙ୍କୁ ନିଯୁକ୍ତି ଦେବ। ସରକାର ଯାହାକୁ ଚାହିବେ ନିଯୁକ୍ତି ଦେବେ।

Comments are closed.