ସଂସଦ ଆକ୍ରମଣ : ଲଲିତ ଝା ଗିରଫ

ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ । ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ ।

ଦିଲ୍ଲୀ ପୁଲିସ୍‌ର ତନାଘନା ପରେ ଲଳିତ ଝା ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ଲଳିତଙ୍କୁ ଗିରଫ କରିଛି ପୁଲିସ୍ । ଏହାପରେ ତାକୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି।

ସଂସଦ ଭିତରେ ଗ୍ୟାସ୍‌ ସ୍ପ୍ରେ ଘଟଣା ପରଠୁ ଫେରାର୍ ଥିଲେ ଲଳିତ ଝା । ତାଙ୍କୁ ଧରିବା ପାଇଁ ବ୍ୟାପକ ଖୋଳତାଡ଼ ଚଲାଇଥିଲା ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ । ତାଙ୍କ ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି।

ଖାଲି ଏତିକି ନୁହେଁ ସଂସଦ ଭବନ ପରିସରରୁ ଧରାପଡ଼ିଥିବା ମୋଟ ୪ ଅଭିଯୁକ୍ତଙ୍କ ଫୋନ୍ ମଧ୍ୟ ସେ ନିଜ ପାଖରେ ରଖିଥିଲେ । ସେଥିରୁ ସେ ସମସ୍ତ ତଥ୍ୟ ନଷ୍ଟ କରିଦେଇଥିବା ଆଶଙ୍କା କରାଯାଉଛି । ଲଳିତ ଝା ହିଁ ଅନ୍ୟ ୫ ସହଯୋଗୀଙ୍କୁ ଭେଟିବା ପାଇଁ ଗୁରୁଗ୍ରାମ ଡକାଇଥିଲେ ।

Comments are closed.