ଟ୍ୱିଟର ସିଇଓ ପଦରୁ ବିଦା ହେଲେ ପରାଗ ଅଗ୍ରୱାଲ

ସାନ ଫ୍ରାନ୍ସିସକୋ:ଏଲନ ମସ୍କ ଶେଷରେ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମାଲିକାନା ହାସଲ କରିବା ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କୁ ତାଙ୍କ ପଦବୀରୁ ବିଦା କରିଦେଇଛନ୍ତି। ଆମେରିକା ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।

ମିଡିଆ ରିପୋର୍ଟ ମୁତାବକ, ଗୁରୁବାର ମସ୍କ ଟ୍ୱିଟକୁ କିଣିବା ପାଇଁ ଡିଲ୍‌ ଫାଇନାଲ କରିଥିଲେ। ସେ ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ସିଇଓ ପରାଗ ଅଗ୍ରୱାଲ, କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ, ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି।

ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ଏ ସମ୍ପର୍କରେ ସେ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଘୋଷଣା ବି କରିଥିଲେ। ତେବେ ସେ ପୁଣି ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ଏହା ପରେ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ।

ଡେଡ ଲାଇନର ଶେଷ ଦିନ ଅର୍ଥାତ ଅକ୍ଟୋବର ୨୭ରେ ମସ୍କ ବେଶ ନିଆରା ଢଙ୍ଗରେ ଟ୍ୱିଟର ଡିଲ୍‌ ଫାଇନାଲ କରିବାକୁ ଏହାର ଅଫିସରେ ପହଞ୍ଚିଥିଲେ। ସେ ହାତରେ ଗୋଟିଏ ୱାଶ ବେସିନ୍ ଧରି ଟ୍ୱିଟର କାର୍ଯ୍ୟାଳୟରେ ବୁଲୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ସେ ଟ୍ୱିଟର କାର୍ଯ୍ୟାଳୟରେ କଫି ପିଉଥିବା ଫଟୋ ମଧ୍ୟ ଛାଡ଼ିଥିଲେ। ଏହି ଘଟଣା ପରେ ହିଁ ମସ୍କ ଟ୍ୱିଟର ସିଇଓ ପରାଗଙ୍କୁ ବିଦା କରିଥିବା ରିପୋର୍ଟ ପ୍ରକାଶ ପାଇଛି।

Comments are closed.