ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଜଟିଳ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ହେତୁ ବଡ଼ଧରଣର ଖର୍ଚ୍ଚ କାଟ ଘୋଷଣା କରିଛି। ବଜାର, ବିବାହ ହଲଗୁଡ଼ିକୁ ଆଗୁଆ ବନ୍ଦ କରିବାକୁ ସରକାର କହିଛନ୍ତି। ଏଥି ସହିତ ସରକାରୀ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। ପାକିସ୍ତାନ ଅର୍ଥନୀତି ତିନି ପ୍ରକାର ଜଟିଳ ସମସ୍ୟା ଦେଇ ଗତି କରୁଛି।

ସେଠାରେ ଅର୍ଥନୀତି ଅତି ଧିମା ଗତିରେ ଆଗକୁ ବଢ଼ୁଥିବା ବେଳେ ଦରଦାମ୍ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିଭିନ୍ନ ସାମଗ୍ରୀ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ଆମଦାନି ଉପରେ ନିର୍ଭରଶୀଳତା ବଢ଼ିଥିବାରୁ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ପାକିସ୍ତାନ ସରକାର ବି ସ୍ବୀକାର କରିସାରିଛନ୍ତି ଯେ ଦେଶ ଗମ୍ଭୀରସ୍ଥିତି ଦେଇ ଗତି କରୁଛି।

ଏହି କ୍ରମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତରେ ଘରେଘରେ ବ୍ୟବହୃତ ହେଉଥିବା ୧୦ଟି ସାମଗ୍ରୀ ପାକିସ୍ତାନରୁ ଯାଇଥାଏ ବୋଲି ଉଲ୍ଲେଖ ରହିଛି। ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି, ଡ୍ରାଏଫ୍ରୁଟସ, ତରଭୁଜ ଓ ଅନ୍ୟଫଳ ସହିତ ସିମେଣ୍ଟ, ସୈନ୍ଧବ ଲୁଣ, ପଥର, ଚୁନ, ଚଷମା ସାମଗ୍ରୀ, କଟନ, ଷ୍ଟିଲ, କାର୍ବନିକ କେମିକାଲ୍ ଓ ମେଟାଲ କମ୍ପାଉଣ୍ଡ। ଏସବୁ ସମେତ ଚମଡ଼ା ସାମଗ୍ରୀ ଆଦି ପାକିସ୍ତାନରୁ ଭାରତ କିଣିଥାଏ। ୨୦୧୭ ମସିହାରେ ପାକିସ୍ତାନରୁ ଭାରତ ୪୮୮.୫ ମିଲିୟନ ଡଲାର ମୂଲ୍ୟର ସାମଗ୍ରୀ କିଣିଥିଲା। ସେହିପରି ୨୦୧୭ରେ ୬୩କୋଟି ଟଙ୍କାର ଫଳ ପାକିସ୍ତାନରୁ ମଗାଇଥିଲା ଭାରତ। ପାକିସ୍ତାନରୁ ଆସୁଥିବା ଫଳ କଶ୍ମୀର ରାସ୍ତା ଦେଇ ରାଜଧାନୀ ଦିଲ୍ଲୀ ମାର୍କେଟ ପର୍ଯ୍ୟନ୍ତ ପହଞ୍ଚିଥାଏ।

Comments are closed.