ପୁଣି ତାଇୱାନକୁ ଯୁଦ୍ଧର ଭୟ ଦେଖାଇଲା ଚୀନ

ତାଇପେଇ : ପୁଣି ଥରେ ତାଇଓ୍ବାନ ଉପକୂଳ ନିକଟରେ ଯୁଦ୍ଧାଭ୍ୟାସ କରିଛି ଚୀନ । ରବିବାରଦିନ ଚୀନ ସେନା ବା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ପୂର୍ବାଞ୍ଚଳ ଥିଏଟର କମାଣ୍ଡ ପକ୍ଷରୁ ଏହି ଯୁଦ୍ଧାଭ୍ୟାସ କରାଯାଇଥିବା ଚୀନ ପକ୍ଷରୁ କୁହାଯାଇଛି । ଏହି ସମରାଭ୍ୟାସରେ ଲଢୁଆ ବିମାନ ଓ ଯୁଦ୍ଧ ଜାହାଜ ବ୍ୟବହାର କରାଯାଇଥିଲା । ଗତ ଏକ ମାସ ମଧ୍ୟରେ ଚୀନର ଏହା ହେଉଛି ୨ୟ ସମରାଭ୍ୟାସ ।

ତାଇଓ୍ବାନକୁ ସମର୍ଥନ କରୁଥିବା ‘ବାହ୍ୟ ଶକ୍ତି’ଙ୍କ ମୁକାବିଲା କରବା ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବା ପାଇଁ ଏହି ସମରାଭ୍ୟାସ କରାଯାଇଥିବା ଚୀନ କହିଛି । ଆହୁରି ମଧ୍ୟ ତାଇଓ୍ବାନର ସ୍ବାଧୀନତା ସପକ୍ଷବାଦୀମାନଙ୍କୁ ଜବାବ ଦେବାକୁ ଏହି ସମରାଭ୍ୟାସ କରାଯାଇଥିବା ଚୀନ କହିଛି ।

ଅନ୍ୟପକ୍ଷରେ ତାଇଓ୍ବାନ ପକ୍ଷରୁ ଚୀନର ଏହି ସମରାଭ୍ୟାସକୁ ବିରୋଧ କରାଯାଇଛି । ତାଇଓ୍ବାନର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଚୀନର ୫୭ଟି ଯୁଦ୍ଧ ବିମାନ ଓ ୪ଟି ଜାହାଜ ଏହି ସମରାଭ୍ୟାସରେ ଭାଗ ନେଇଥିଲେ । ତା ମଧ୍ୟରୁ ୨୮ଟି ବିମାନ ତାଇଓ୍ବାନ ସୀମାର ନିକଟତର ହୋଇଥିଲେ । ଏହି ସମରାଭ୍ୟାସରେ ଭାଗ ନେଇଥିବା ଲଢୁଆ ବିମାନ ମଧ୍ୟରେ ଥିଲେ ସୁଖୋଇ-୩୦ ଓ ଜେ-୧୬ ପରି ଲଢୁଆ ବିମାନ ।

Comments are closed.