ଏବେବି ଗାଁରେ ମୋବାଇଲ୍ ସେବା ଅପହଞ୍ଚ

ବ୍ରଜରାଜନଗର: ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବର୍ତ୍ତମାନ ଦୁନିଆରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକରେ ସାମିଲ ହେବାକୁ ହେଲେ ଏହାର ବ୍ୟବହାର ଜରୁରୀ ହୋଇଛି। ହେଲେ ବର୍ତ୍ତମାନ ଡିଜିଟାଲ ଯୁଗରେ ଖଣି ଖାଦାନ ସମୃଦ୍ଧ ଅଂଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ରହିବା ଏକ ପ୍ରକାର ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ପାଲଟିଛି । ଗୋଟିଏପଟେ ବ୍ରଜରାଜନଗର ଓ ଅନ୍ୟପଟେ ସୁନ୍ଦରଗଡ କୋଇଲା ଖଣି ଯୋଗୁଁ ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତୀ କେତେକ ଗ୍ରାମ ଭାରୀମାତ୍ରାରେ ପ୍ରଭାବିତ ହୋଇଥିଲେ ହେଁ ସେଠାରେ ଆଶାନୁରୂପ ଭାବେ ବିକାଶ ହୋଉନଥିବା ଅଭିଯୋଗ ଅନେକ ହୋଇଆସୁଛି ।

ଝାରସୁଗୁଡା ଜିଲ୍ଲା ସୀମାନ୍ତ ସୁନ୍ଦରଗଡକୁ ଲାଗିକି ରହିଛି ଗୌଡ଼ମାଲ ପଂଚାୟତରେ ଏପରି କେତେକ ଗାଁ ଓ ଜନ ବସତି, ଯେଉଁଠାରେ ୪/୫ଜି ସେବା ତ ଦୂରର କଥା ସାଧାରଣ ମୋବାଇଲ ନେଟୱର୍କ ଏ ପର୍ଯ୍ୟନ୍ତ ଅପହଞ୍ଚ ପାଲଟିଛି । ବନ ପାହାଡ଼ ଘେରାରେ ରହିଛି ଗୌଡ଼ମାଲ ପଂଚାୟତର ବଡ଼ ଯୋବ, ଜଳହରି ପଡା, ଜାମକାନି, ମଧୁପୁର, ଛାପଲଡ଼ିହି, ନୂଆମୁଣ୍ଡା, ଦିଲ୍ଲୀ ନଗର ଆଦି ଗ୍ରାମ । ମୋଟ ୧୦୦୦ରୁ ଊର୍ଦ୍ଧ୍ଵ ମତଦାତା ବିଶିଷ୍ଟ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକର ଲୋକମାନେ ଅଧିକାଂଶ ଦିନ ମଜୁରିଆ । ତେବେ ମନରେଗା, ଭତ୍ତା, କୃଷି କାର୍ଯ୍ୟ ତଥା ଅନେକ ସରକାରୀ ଯୋଜନାର ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ଥିଲେ ସୁଦ୍ଧା ସେମାନେ ଏହାର ବ୍ୟବହାରରୁ ବଞ୍ଚିତ ରହୁଛନ୍ତି ।

Comments are closed.