ଆଜି ମୁମ୍ବାଇରେ ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକ

ନୂଆଦିଲ୍ଲୀ : ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇରେ ଆରମ୍ଭ ହେବ। ଏହି ୨ ଦିନିଆ ସମାବେଶରେ ମେଣ୍ଟ ପାଇଁ ଏକ ସମନ୍ବୟ ସମିତି ଘୋଷଣା ସହ ଲୋଗୋ ଜାରି କରାଯିବ। ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂରକରି ୨୦୨୪ ଲୋକ ସଭା ନିର୍ବାଚନ ସକାଶେ ଇଣ୍ଡିଆ ପକ୍ଷରୁ ମିଳିତ ରଣନୀତି ପ୍ରସ୍ତୁତ କରାଯିବ। ମେଣ୍ଟର ସମାନ ସର୍ବନିମ୍ନ କାର୍ଯ୍ୟସୂଚୀ ଚିଠା ପ୍ରସ୍ତୁତ, ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ମିଳିତ ଯୋଜନା ଏବଂ ଆସନ ଭାଗବଣ୍ଟା କରିବା ପାଇଁ କେତୋଟି କମିଟି ମଧ୍ୟ ଗଠନ କରାଯିବ। ବର୍ତ୍ତମାନର ସରକାରଙ୍କ ନକାରାମତ୍କ ନୀତିଗୁଡ଼ିକ ବିରୋଧରେ ଏକ ବିକଳ୍ପ ଛିଡ଼ା କରାଇବା ପାଇଁ ମୁମ୍ବାଇ ବୈଠକରୁ ସ୍ପଷ୍ଟ ରୋଡ୍‌ମ୍ୟାପ ମିଳିବ ବୋଲି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ମନୋଜ ଝା କହିଛନ୍ତି।

ବ୍ଲକ୍‌ ଦିଲ୍ଲୀରେ ଏକ ସେକ୍ରେଟାରିଏଟ୍‌ ଗଠନ କରିବାକୁ ଯାଉଛି, ଯେଉଁଠି ଏହାର ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇପାରିବ। ଏହାବାଦ୍‌ ମେଣ୍ଟର ସଂଯୋଜକ କିମ୍ବା ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଂଯୋଜକ ପଦ ଦୌଡ଼ରେ ଆଗୁଆ ଥିବା କୁହାଯାଉଛି। ସେହିପରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ମେଣ୍ଟର ମୁଖ୍ୟ ଘୋଷଣା କରାଯାଇପାରେ। ବର୍ତ୍ତମାନ ଇଣ୍ଡିଆରେ ୨୬ ଦଳ ଥିବାବେଳେ ମୁମ୍ବାଇ ବୈଠକରେ ଆଉ କେତୋଟି ଦଳକୁ ସାମିଲ କରାଯାଇପାରେ।

Comments are closed.