କମିବ ପିଆଜ ଦର

ନୂଆଦିଲ୍ଲୀ: ଟମାଟୋ ଲୋକମାନଙ୍କୁ କିଛି ଦିନ କନ୍ଦାଇବା ପରେ ଏବେ ପିଆଜକୁ ନେଇ ଚିନ୍ତା ଆରମ୍ଭ ହୋଇଯାଇଛି। ‌ସେହି ଚିନ୍ତା ଦୀର୍ଘଦିନ ରହି କିଛି ସମସ୍ୟା ସୃଷ୍ଟି କରିବା ପୂର୍ବରୁ ତାହାର ଆଗୁଆ ମୁକାବିଲା କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଜରୁରୀକାଳୀନ ସ୍ଥିତି ପାଇଁ କେନ୍ଦ୍ରୀୟ ଭଣ୍ଡାରରେ ରଖାଯାଉଥିବା ପିଆଜ ପରିମାଣକୁ ୩ ଲକ୍ଷ ଟନ୍‌ରୁ ବଢ଼ାଇ ୫ ଲକ୍ଷ ଟନ୍ କରାଯାଇଛି। ଚଳିତ ବର୍ଷ କେନ୍ଦ୍ରୀୟ ଭଣ୍ଡାରରେ ୩ ଲକ୍ଷ ଟନ୍ ପିଆଜ ରଖିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଲକ୍ଷ୍ୟ ହାସଲ ହୋଇଯିବା ପରେ ସେଥିରେ ଆଉ ୨ ଲକ୍ଷ ଟନ୍ ପିଆଜ ଭର୍ତ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଚନ୍ତି। ନାଫେଡ୍‌ ଓ ଏନ୍‌ସିସିଏଫ୍‌ ଏକ ଲକ୍ଷ ଟନ୍ ଲେଖାଏଁ ପିଆଜ ସଂଗ୍ରହ କରିବେ। ଏଥି ସହିତ ଆସନ୍ତାକାଲିଠାରୁ କେଜି ପିଛା ୨୫ ଟଙ୍କାରେ ପିଆଜ ବିକ୍ରି କରିବାକୁ ଏନ୍‌ସିସିଏଫ୍‌କୁ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟାନ୍ୟ ସଂସ୍ଥା ଓ ଅନଲାଇନ୍‌ରେ ମଧ୍ୟ ପିଆଜି ବିକ୍ରି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପିଆଜ ମୂଲ୍ୟରେ ହୋଇଥିବା ବୃଦ୍ଧିକୁ ରୋକିବା ଏବଂ ତାହାର ଦାମ୍ କମାଇବା ଲାଗି କେନ୍ଦ୍ରୀୟ ଭଣ୍ଡାରରୁ ପିଆଜ ବାହାର କରି ଅନ୍ୟତ୍ର ପଠାଯାଉଛି। ଯେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଦାମ୍‌ ଜାତୀୟ ହାରାହାରି ଦାମ୍‌ଠାରୁ ଅଧିକ ରହିଛି, ସେହି ଅଞ୍ଚଳଗୁଡ଼ିକୁ ପ୍ରଥମେ ପିଆ ପଠାଯାଉଛି। ଭଣ୍ଡାରରୁ ୧୪୦୦ ଟନ୍ ପିଆଜ ବାହାର କରାଯାଇସାରିଲାଣି। ସରକାରୀ ତଥ୍ୟ ଅନୁସାରେ ଦେଶରେ ପିଆଜର କେଜି ପିଛା ହାରାହାରି ଦାମ୍ ୨୯ ଟଙ୍କା ୭୩ ପଇସା ରହିଛି। ଗତବର୍ଷ ଏହି ସମୟରେ ଦାମ୍ ୨୫ ଟଙ୍କା ଥିଲା। ଦିଲ୍ଲୀରେ କେଜି ପିଛା ୩୭ ଟଙ୍କାରେ ପିଆଜ ବିକ୍ରି ହେଉଛି।

Comments are closed.