ସର୍ବଦଳୀୟ ବୈଠକକୁ ବର୍ଜନ କଲା କଂଗ୍ରେସ

ଭୁବନେଶ୍ୱର : ମଣ୍ଡି ଅବ୍ୟବସ୍ଥା ଓ ବିଧାୟକ ସାନିଟାଇଜର୍ ପିଇବା ଘଟଣାକୁ ନେଇ ପୁଣି ବିଧାନସଭାରେ ଉତ୍ତେଜନା ସୃଷ୍ଟି ହୋଇଛି । ପ୍ରତିଦିନ ଗୃହ କାର୍ଯ୍ୟ ବରବାଦ ହେଉଛି । ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ବର୍ଜନ କରିଛି କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା ବାହିନୀପତି କହିଛନ୍ତି, ‘ସର୍ବଦଳୀୟ ବୈଠକରେ ମଣ୍ଡି ପ୍ରସଙ୍ଗରେ ଆଲୋଚନା ହେଉନି । ବିଧାୟକ ସାନିଟାଇଜର ପିଇବା ଉପରେ ଆଲୋଚନା ହେଉଛି ।’ ତେଣୁ କଂଗ୍ରେସ ଆଲୋଚନାରୁ ଓହରିଲା ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି ।

ଅନ୍ୟପଟେ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ । ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ସାନିଟାଇଜର ପିଇବା ଘଟଣାରେ କ୍ଷମା ମାଗିବାକୁ ଦାବି କରୁଛନ୍ତି ବିଜେଡି ବିଧାୟକ । ଏହାକୁ ନେଇ ତିନି ଦିନ ହେବ ଗୃହରେ ଅଚଳାବସ୍ଥା ଲାଗି ରହିଛି । ସମାଧାନ ପାଇଁ ସର୍ବଦଳୀୟ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ଅପରାହ୍ନ ୪ଟା ଯାଏ ଗୃହ ମୁତଲବୀ ରହିଛି ।

Comments are closed.