୭୮ ବର୍ଷରେ ପାଦ ଦେଲେ ନବୀନ

ଭୁବନେଶ୍ୱର : ୭୮ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବାର ସାଧକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା । ଜନସେବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ, ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ ଚାଲିବାରେ ସକ୍ଷମ ହୋଇଛନ୍ତି । ଯାହା ରାଜ୍ୟ ବିକାଶରେ ଏକ ସ୍ବତନ୍ତ୍ର ଫର୍ଦ୍ଦ ଯୋଡିଛି । ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଜନସେବା କାର୍ଯ୍ୟକ୍ରମ କରାଯାଉଛି । ତାଙ୍କ ଦୀର୍ଘାୟୁ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରରେ ପ୍ରାର୍ଥନା କରାଯାଉଛି । ଅକ୍ଟୋବର ୧୬, ଦେଶର ଶ୍ରେଷ୍ଠ ପ୍ରଶାସକ ତଥା ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଆଖ୍ୟା ପାଇଥିବା ନବୀନ ପଟ୍ଟନାୟକଙ୍କ 78ତମ ଜନ୍ମଦିନ । ନିଜ ସରଳ ଜୀବନଶୈଳୀ ପାଇଁ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସାରା ଦେଶରୁ ଶୁଭେଚ୍ଛା । ଗତ କିଛି ବର୍ଷ ହେବ ପ୍ରାକୃତିକ ବିପର୍ଯୟ ସହ ଅନେକ କାରଣରୁ ନିଜ ଜନ୍ମଦିନ ପାଳନ କରୁ ନାହାନ୍ତି ନବୀନ । ହେଲେ ତାଙ୍କ ଶୁଭେଛୁ ଓ ରାଜ୍ୟବାସୀ ଆଜିର ଦିନକୁ ସେବାର ଦିନ ଭାବେ ପାଳନ କରି ଆସୁଛନ୍ତି । ଜନସେବାରେ ୨୬ ବର୍ଷ ଅତିକ୍ରମ କରି ବିକାଶ ପଥରେ ଓଡ଼ିଶାକୁ ଆଗେଇ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ସେହିପରି ଅନେକ ମନ୍ଦିରରେ ନବୀନଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରାଯିବା ସହ ହସ୍ପିଟାଲରେ ଫଳ ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ବ୍ୟକ୍ତିତ୍ବ ଓ ତାଙ୍କ ମହତ ଚିନ୍ତାଧାରାକୁ ମନେ ପକାଇଛନ୍ତି ଅନେକ ନେତା ।

Comments are closed.