ଦୀପଗ୍ରେସଙ୍କ ପାଇଁ ପୁରସ୍କାର ଘୋଷଣା କଲେ ନବୀନ

ଭୁବନେଶ୍ବର: ଏସିଆନ ଗେମ୍ସ ମହିଳା ହକି ଟିମ୍ ସଦସ୍ୟା ତଥା ଓଡ଼ିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କାଙ୍କ ପାଇଁ ପୁରସ୍କାର ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର କଲେ ଘୋଷଣା । ଏସିଆନ ଗେମ୍ସରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟା ଥିଲେ ଦୀପଗ୍ରେସ ।

ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ଦୀପଗ୍ରେସ ଯୁବପୀଢ଼ିଙ୍କୁ ପାଇଁ ରୋଲ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ପାଇଁ ଖେଳିବାକୁ ଚାହୁଁଥିବା ଯୁବ ଖେଳାଳିଙ୍କ ପାଇଁ ଦୀପଗ୍ରେସ ଆଶା ଓ ଗର୍ବର ପ୍ରତୀକ । ନିଜ ପ୍ରଦର୍ଶନ ଜରିଆରେ ଖେଳ ପ୍ରତି ଦୀପ ନିଜ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି । ମୋର ବିଶ୍ବାସ ଅଛି, ଆଗକୁ ବି ଦୀପ ଦେଶ ପାଇଁ ଗୌରବ ଆଣିବେ ଓ ନିଜ ଉଚ୍ଚକୋଟୀର ଖେଳ ଜାରି ରଖିବେ ।

ସୂଚନାଯୋଗ୍ୟ, ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଏହାସହ ଟିମର ସମସ୍ତ ଖେଳାଳି ଓ ଷ୍ଟାଫ ମେମ୍ବରଙ୍କ ପାଇଁ ୩ ଲକ୍ଷ ଲେଖାଏଁର ପୁରସ୍କାର ରାଶି ଘୋଷଣା କରିଥିଲେ ।

Comments are closed.