ନବୀନଙ୍କର ଅଭେଦ୍ୟ ଚକ୍ରବ୍ୟୁହ

ଚଳିତ ସପ୍ତାହକୁ ରାଜନୀତିକ ରୋମାଞ୍ଚରେ ଭରପୁର କରିଦେଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ବିଜେପି ଓ କଂଗ୍ରେସକୁ ନାଗଫାଶ ବନ୍ଧନରେ ସେ ଏପରି ବାନ୍ଧି ପକାଇଛନ୍ତି ଯେ ଉପରକୁ କାମଚଳା ବୟାନବାଜି କରୁଥିଲେ ମଧ୍ୟ ଭିତରେ ସେମାନଙ୍କର ପାଟିଚୁପ ହୋଇଯାଇଛି । କଥା କହିବାରେ ଅତ୍ୟନ୍ତ ମିତଵ୍ୟୟୀ ନବୀନ ପଟ୍ଟନାୟକ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନରେନ୍ଦ୍ର ମୋଦିଙ୍କ ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡିର ସମର୍ଥନ ପ୍ରଦାନ କରିବା ଘଟଣା ବାସ୍ତବରେ କଂଗ୍ରେସ ଓ ମିଳିତ ବିରୋଧୀ ଦଳଗୁଡିକୁ ଯେତିକି ବ୍ୟଥିତ କରିନାହିଁ, ତାହାଠାରୁ ବହୁଗୁଣ ଅଧିକ ହତଚକିତ କରିଦେଇଛି ବିଜେପିର ରାଜ୍ୟ ନେତାମାନଙ୍କୁ । ଚିଟଫଣ୍ଡ, ଖଣି ଓ ଅନ୍ୟାନ୍ୟ ବହୁ ଦୁର୍ନୀତି ମାମଲାରେ ସିବିଆଇର ଜେଲବନ୍ଦୀ ଅଭିଯାନକୁ ନେଇ ସାମ୍ବାଦିକ ସମ୍ମିଳନୀ, ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଗର୍ଜନ ତର୍ଜନ କରୁଥିବା ରାଜ୍ୟ ବିଜେପିର ତୁଙ୍ଗ ଓ ଅର୍ବାଚୀନ ନେତାମାନଙ୍କ ଭିତରେ ଏବେ ଗୁପ୍ତ ଭୟର ଲହର ଖେଳି ଯାଇଛି ।

ରାଜନୀତିରେ ସ୍ଥାନ କାଳ ପାତ୍ରର ପ୍ରାସଙ୍ଗିକତାକୁ ବିଚକ୍ଷଣ ଭାବରେ ବୁଝିପାରୁଥିବା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧାରଣ ତାଙ୍କ ଦଳ ଓ ତାଙ୍କ ନିଜ ପାଇଁ କଦାଚିତ କ୍ୱଚିତ କ୍ଷତିକାରକ ସାବ୍ୟସ୍ତ ହୋଇଛି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ତାହା ହେଲା ! ହରିବଂଶଙ୍କ ବଦଳରେ ହରିପ୍ରସାଦଙ୍କୁ ସମର୍ଥନ କରିଥିଲେ ବିଶେଷ କିଛି ଲାଭ ହୋଇନଥାନ୍ତା । ନିର୍ବାଚନରେ ବିଜୟ ପାଇଁ କଂଗ୍ରେସ ପକ୍ଷରୁ ଆବଶ୍ୟକ ତତ୍ପରତା ପ୍ରଦର୍ଶନ ମଧ୍ୟ କରାଯାଇନଥିଲା। ଆପ, ପିଡିପି, ତୃଣମୂଳ କଂଗ୍ରେସ, ଟିଆରଏସ ଦଳର ସମର୍ଥନ ବିନା ବିକେ ହରିପ୍ରସାଦଙ୍କ ବିଜୟ ଏକପ୍ରକାର ଅସମ୍ଭବ ଥିଲା! ଏନଡିଏରେ ଭାଗୀଦାର ଥିବା ଅସନ୍ତୁଷ୍ଟ ଦଳଗୁଡିକୁ ମଧ୍ୟ କଂଗ୍ରେସ ଦଳପକ୍ଷରୁ ରାଜନୀତିକ ଆବେଗ ଦୃଷ୍ଟିରୁ ଲୌକିକ ଅନୁରୋଧ ସୁଦ୍ଧା କରାଯାଇନଥିଲା।

ଏ ସମସ୍ତ ଦିଗକୁ ବସ୍ତୁନିଷ୍ଠ ଭାବରେ ଅନୁଧ୍ୟାନ କଲେ ନବୀନଙ୍କ ନିଷ୍ପତ୍ତି ତାଙ୍କ ରାଜନୀତିକ ପରିପକ୍ଵତାର ପରିଚାୟକ ବୋଲି କୁହାଯାଇପାରିବ । ନବୀନ ପଟ୍ଟନାୟକ କେବେ ହେଁ ନରେନ୍ଦ୍ର ମୋଦିଙ୍କ ଅନୁଗାମୀ ନୁହନ୍ତି ଅଥବା ସିବିଆଇ ଆକ୍ରମଣର ଆତଙ୍କରେ ସେ ତିଳାର୍ଦ୍ଧ ଭୟଭୀତ ନୁହନ୍ତି । ସିବିଆଇ ତଦନ୍ତର ଦୀର୍ଘସୁତ୍ରୀ ମନ୍ଥରତା ଏହାକୁ ଏକ ରାଜନୀତିକ ଫାର୍ଶରେ ପରିଣତ କରିସାରିଛି  ।

ନବୀନ ପଟ୍ଟନାୟକଙ୍କ ରାଜନୀତିକ ବ୍ୟକ୍ତିତ୍ୱର ଏକ ବିରଳ ବିଶେଷତା ହେଲା – ସେ କୌଣସି କଥା, ଛୋଟ ଛୋଟ ଘଟଣା ଓ ବିରୋଧକୁ ଆଦୌ ଭୁଲନ୍ତି ନାହିଁ !

ଆଗକୁ ସାଧାରଣ ନିର୍ବାଚନ । ନବୀନ ଏବେ ଏଥର ଏକ ଅତ୍ୟନ୍ତ ଅଭେଦ୍ଯ ରାଜନୀତିକ ଚକ୍ରବ୍ୟୁହ ରଚନା କରିବା ଆରମ୍ଭ କରିଦେଇଛନ୍ତି ଏବଂ ଏଥର ସେ କାହାକୁ ସାବଧାନ ହେବାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ସୂଚନା ମଧ୍ୟ ଦେବେ ନାହିଁ !!

Comments are closed.