ସୁସ୍ଥ ହେଉଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏମ୍ସରେ ଭର୍ତ୍ତି

ବାଲେଶ୍ୱର: ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳେ ଡିସଚାର୍ଜ ହୋଇଥିବାର ଖବର ମିଳିଛି। ସ୍ବାସ୍ଥ୍ୟର ଅଧିକ ଯାଞ୍ଚ ଲାଗି ତାଙ୍କୁ ଭୁବନେଶ୍ବର ଏମ୍ସକୁ ରେଫର୍ କରାଯାଇଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦେବ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ସାଂସଦ ନିଜେ ବି କହିଥିଲେ ଯେ ତାଙ୍କୁ ଭଲ ଲାଗୁଛି। ଏଣୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳେ ଡିସଚାର୍ଜ କରାଯାଇଛି। ଏହାପରେ ତାଙ୍କୁ ଏମ୍ସକୁ ରେଫର୍ କରାଯାଇଛି। ତାଙ୍କ ସହ ଏକ ମେଡିକାଲ୍ ଟିମ୍ ମଧ୍ୟ ଏମ୍ସ ଯାଉଛନ୍ତି। ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ହେତୁ ଏଥରୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଅତି କମରେ ୭ ଦିନ ଲାଗିବ। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ବତନ୍ତ୍ର ମେଡିକାଲ୍ ଟିମ୍ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭୁବନେଶ୍ବର ଏମ୍ସକୁ ଆଣୁଛନ୍ତି।

Comments are closed.