ରାଜ୍ୟରେ ମୌସୁମୀ ବର୍ଷା ବିଳମ୍ବ ହେବ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ବିଳମ୍ବ ହେବ। ମୌସୁମୀ କେରଳ ଛୁଇଥିଲେ ବି ଏହା ପ୍ରଭାବୀ ହୋଇ ଅଗ୍ରସର ହେଉନି । ଜୁନ ୧୦ ପୂର୍ବରୁ ଓଡ଼ିଶାରେ ମୌସୁମୀ ବର୍ଷା ହେବ ନାହିଁ । ଜୁନ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ କମ ବର୍ଷା ହେବ । ବିହନ ବୁଣାବୁଣି ପାଇଁ ଏହା ଯଥେଷ୍ଟ ନୁହେଁ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ଼. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତେବେ ରାଜ୍ୟରେ ତାତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି ।

ମୌସୁମୀ ଆଜି କେରଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । କିନ୍ତୁ ଓଡ଼ିଶାରେ ମୌସୁମୀ ପହଞ୍ଚିବା ବିଳମ୍ବ ହୋଇପାରେ । ସ୍ଥଳଭାଗ ଆଡ଼କୁ ମୌସୁମୀ ଆସିପାରୁନି । ମେ ୩୧ ଓ ୧ ତାରିଖ କେରଳ ଉପକୂଳରେ ବର୍ଷା ବଢ଼ିବ ଓ ପୁଣି କମିବ । ଜୁନ୍‌ ପ୍ରଥମ ସପ୍ତାହ ଯାଏ ମୌସୁମୀ ଦୁର୍ବଳ ରହିବ ଓ କମ୍‌ ବର୍ଷା ହେବ । ଜୁନ୍‌ ୧୦ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିବା ସମ୍ଭାବନା ନାହିଁ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ଼ା. ଶରତ ସାହୁ କହିଛନ୍ତି ।

ସେପଟେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଭିନ୍ନ ସ୍ଥାନରେ ଅସହ୍ୟ ତାତି ଓ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି । ୧୭ଟି ସ୍ତାନର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି ।

Comments are closed.