ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ ନେବେ ମୋଦୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଜି-୨୦ ପ୍ରସ୍ତୁତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବେ।ଆସନ୍ତା ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ମାସ ପହିଲାରୁ ୨୦୨୩ ନଭେମ୍ବର ୩୦ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଭାରତ ଜି-୨୦ ଅଧ୍ୟକ୍ଷ ଭାର ସମ୍ଭାଳିବ। ଏହି ଅବଧିରେ ଭାରତ ଦେଶବ୍ୟାପୀ ୨୧୫ରୁ ଅଧିକ ଜି-୨୦ ବୈଠକର ଆୟୋଜନ କରିବ।ରାଷ୍ଟ୍ରପତି ଭବନ ପ୍ରେକ୍ଷାଳୟରେ ଅପରାହ୍ନ ୫ଟାରେ ଏହା ଅନୁଷ୍ଠିତ ହେବ।

ବିଦେଶ ମନ୍ତ୍ରାଳୟ ସୂଚନା ଅନୁସାରେ ରାଷ୍ଟ୍ରାଧ୍ୟକ୍ଷ ସ୍ତରରେ ଜି-୨୦ ଦେଶଗୁଡ଼ିକର ନେତାମାନଙ୍କ ଶିଖର ସମ୍ମିଳନୀ ୨୦୨୩ ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବ। ଏଥି ପୂର୍ବରୁ ଚଳିତ ମାସ ୮ରେ ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ର ନୂଆ ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ୍‌ ଉନ୍ମୋଚନ କରିଥିଲେ। ସୂଚନା ଅନୁସାରେ ବୈଠକରେ ପ୍ରଧାନମନ୍ତ୍ରୀ ଜି-୨୦କୁ ସଫଳ କରିବା ତଥା ଦେଶର ସମସ୍ତ ରାଜ୍ୟ ସକ୍ରିୟଭାବେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ କହିବେ। ଭାରତର ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର, ପ୍ରସିଦ୍ଧ ଏୗତିହାସିକ ସ୍ଥଳମାନଙ୍କରେ ଜି-୨୦ ବୈଠକଗୁଡ଼ିକୁ ଆୟୋଜନ କରିବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ଜି-୨୦ ଅବସରରେ ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତି ଆଧାରିତ କାର୍ଯ୍ୟକ୍ରମର ରୂପରେଖ ମଧ୍ୟ ପ୍ରସ୍ତୁତି କରାଯାଉଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଏୗତିହ୍ୟ ସ୍ଥଳ‌ରେ ଜି-୨୦ର ଗୋଟିଏ ବୈଠକ ଆୟୋଜନ କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ଯୋଜନା କରୁଛି।

Comments are closed.