୨୧ଟି ନାମହୀନ ବଡ଼ ବଡ଼ ଦ୍ବୀପର ନାମକରଣ କଲେ ମୋଦି

ନୂଆଦିଲ୍ଲୀ: ଆଜି ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମବୀର ଚକ୍ର ସମ୍ମାନରେ ଭୂଷିତ ବୀର ଯବାନମାନଙ୍କ ନାମାନୁସାରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୨୧ଟି ନାମହୀନ ବଡ଼ ବଡ଼ ଦ୍ବୀପର ନାମକରଣ କରିଛନ୍ତି। ଏହି ଅବସରରେ ସେ ନେତାଜୀଙ୍କ ପ୍ରତି ଉତ୍ସର୍ଗ ଏକ ଜାତୀୟ ସ୍ମାରକୀ ମଡେଲ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ସ୍ମାରକୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପରେ ନିର୍ମାଣ କରାଯିବ। ପୂର୍ବରୁ ଏହି ଦ୍ବୀପର ନାଆଁ ଥିଲା ରସ୍‌ ଆଇଲାଣ୍ଡ୍।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସମେତ ଏହି ୨୧ଟି ଦ୍ବୀପର ନାମକରଣ ନିମନ୍ତେ ଅନେକ ବାର୍ତ୍ତା ଗ୍ରହଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଲେ, ସ୍ବାଧୀନତା ପରେ ବିସ୍ମୃତ କରାଯିବାକୁ ଉଦ୍ୟମ ହୋଇଥିବା ନେତାଜୀ ସୁଭାଷଙ୍କୁ ଆଜି ଦେଶ କିଭଳି ପ୍ରତି ମୁହୂର୍ତ୍ତରେ ସ୍ମରଣ କରୁଛି ତାହା ଏକବିଂଶ ଶତାବ୍ଦୀ ଦେଖୁଛି। ନେତାଜୀଙ୍କ ସମ୍ବନ୍ଧୀୟ ଫାଇଲ୍‌ଗୁଡ଼ିକୁ ଉନ୍ମୁକ୍ତ କରିବା ଲାଗି ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଥିଲା। ଅତି ନିଷ୍ଠାର ସହ ଦେଶ ତାହା କରିଛି।

ଆଣ୍ଡାମାନ ଓ ନି‌କୋବର ଦ୍ବୀପରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ସେ କହିଲେ ଯେ, ପରମବୀର ଚକ୍ର ସମ୍ମାନପ୍ରାପ୍ତଙ୍କ ନାମାନୁସାରେ ଦ୍ବୀପଗୁଡ଼ିକର ନାମାକରଣ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଫଳରେ ସେମାନେ ଚିରସ୍ମରଣୀୟ ହୋଇ ରହିବେ।

Comments are closed.