ମେସର୍ସ କେ. ସି. ପ୍ରଧାନ ଖଣିର ଜନଶୁଣାଣୀ ସଫଳ
କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ସୂଚନାରୁ ପ୍ରକାଶ ଯେ, ୧୯୭୨ ମସିହାରେ ମେସର୍ସ କେସି ପ୍ରଧାନ ଖଣି କମ୍ପାନୀ କେନ୍ଦୁଝର ଜିଲା ଅନ୍ତର୍ଗତ ନୟାଗଡ ଗ୍ରାମରେ ୨୪.୫୭୦ ହେକ୍ଟର ପରିମିତ ଖଣି ଅଞ୍ଚଳରେ ଅବସ୍ଥିତ ନୟାଗଡ ଲୌହ ଖଣିକୁ ୩୦ ବର୍ଷ ପାଇଁ ଲିଜ୍ ସୂତ୍ରରୁ ନେଇଥିବା ବେଳେ ପରବର୍ତ୍ତି ସମୟରେ ସରକାରଙ୍କ ନିୟମ ଅନୁଯାୟୀ ଏହାକୁ ୫୦ ବର୍ଷକୁ ବୃଦ୍ଧି କରାଯାଇଥିଲା । ଏହି ଖଣିଟିରୁ ବାର୍ଷିକ ୮୦ ହଜାର ମେଟ୍ରିକ ଟନ୍ ଲୁହାପଥର ଉତ୍ପାଦନ କରାଯାଉଥିବା ବେଳେ ଏହାକୁ ଓପନ କାଷ୍ଟ ସେମିମେକାନାଇଜଡ ପଦ୍ଧତି ଦ୍ୱାରା ସମ୍ପ୍ରସାରଣ କରି ୩୦୦୧୩୫ ଟନ୍ ବାର୍ଷିକ ଲୌହ ଉତ୍ପାଦନ ନିମନ୍ତେ ରାଜ୍ୟ ପରିବେଷ ପ୍ରଭାବ ମୂଲ୍ୟାଙ୍କନ କର୍ତ୍ତୁପକ୍ଷ, ଓଡିଶାଙ୍କ ଦ୍ୱାରା ପରିବେଷୀୟ ମଞ୍ଜୁରୀ ନିମନ୍ତେ ସର୍ବସାଧାରଣ ଜନଶୁଣାଣୀ ଶୁକ୍ରବାର ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆୟୋଜନ କରିଥିବା ବେଳେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ଓ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ସୁଶମା ବିଲୁଙ୍ଗ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ଶୁଣିଥିଲେ । ଏଥିରେ ସ୍ଥାନୀୟ ଅଧିବାସୀ ୨୯ଜଣ ବ୍ୟକ୍ତି କମ୍ପାନୀ ସପକ୍ଷରେ ମତ ଦେଇଥିବା ଜଣାପଡିଛି ଯଥା ନୟାଗଡ଼ ର ରବିନ୍ଦ୍ର କୁମାର ନାଏକ,କୂଷ୍ଣଚନ୍ଦ୍ର ନାଏକ,ଗଗନ କୁମାର ନାଏକ,ଜଳଧର ନାଏକ, ରାଧାକାନ୍ତ ନାଏକ ବାବୁରାମ ନାଏକ ଭଳି ଅନେକ ବ୍ୟକ୍ତି ଙ୍କ ମତପ୍ରକାଶ ରଖିଥିଲେ | ସ୍ଥାନୀୟ ଲୋକମାନେ ପାରିପାର୍ଶ୍ୱିକ ଉନ୍ନୟନ ନିମନ୍ତେ ରାସ୍ତା ନିର୍ମାଣ, ସ୍ଥାନୀୟ ନିଯୁକ୍ତି, ପ୍ରାଥମିକ ବିଦ୍ୟାଳୟ, ପ୍ରଭାବିତ ଗ୍ରାମରେ ଆଲୋକିକରଣ, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ରୋଗୀ ବୁହା ଗାଡି ଯୋଗାଇଦେବାକୁ ଦାବି କରିଥିବା ଜଣାପଡିଛି | ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଖଣି ସୂଚାରୁରୂପେ ଚାଲିଲେ ଅଞ୍ଚଳ ବାସୀ ଙ୍କ କଥା କେତେ ଚିନ୍ତା କରିବେ |
Comments are closed.