ଶେଷରେ ସାଇକେଲରେ ଶ୍ମଶାନ ଗଲା ଶବ : କୁଆଡେ ଗଲା ମାନବିକତା ?

ଅହଂକାରରେ ଅନ୍ଧ ହୋଇ ଲୋକମାନେ ନିଜ ମଣିଷପଣିଆକୁ ଭୁଲି ଗଲେଣି । ଏମିତିକି ଶବକୁ କାନ୍ଧେଇ ଶ୍ମଶାନ ନେବାପାଇଁ ମଧ୍ୟ ପଛଘୁଞ୍ଚା ଦେଲେ ଗାଁ ଲୋକ, ଫଳରେ ଶାଳୀର ଶବକୁ ସାଇକେଲରେ ବୋହି ଶ୍ମଶାନକୁ ନେଲେ ଭିଣୋଇ । ଏହି ଦୁଃଖଦପୂର୍ଣ୍ଣ ଘଟଣାଟି ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପୋଲି ପଞ୍ଚାୟତର କୃଷ୍ଣପାଲି ଗାଁରେ ଦେଖିବାକୁ ମିଳିଛି । ଖବର ଅନୁସାରେ, କୃଷ୍ଣପାଲୀ ଗାଁର ଚତୁର୍ଭୁଜ ବାଙ୍କ, ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କୁ ଗ୍ରାମବାସୀ ଏକଘରିକିଆ କରିଥିଲେ । ଏନେଇ ଗ୍ରାମର କୌଣସି କାମରେ ଚତୁର୍ଭୁଜଙ୍କୁ ଅନ୍ତର୍ଭୁକ୍ତ କରାଯାଉନଥିଲା । ଶାଶୂ ଶଶୁରଙ୍କ ମୃତ୍ୟୁ ପରେ ଶାଳୀ ପାଞ୍ଚ ମହାକୁଡ ଚତୁର୍ଭୁଜଙ୍କ ସହ ରହିଆସୁଥିଲେ । ପରନ୍ତୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆଜି ପାଞ୍ଚଙ୍କର ମୃତ୍ୟୁ ହୋଇଥିଲା । ହେଲେ ଦୁଃଖର କଥା ଏହିକି ଯେ, ପାଞ୍ଚଙ୍କ ମୃତ୍ୟୁ ଶରୀରକୁ କାନ୍ଧ ଦେବା ପାଇଁ ମନା କରିଦେଲେ ଗାଁ ଲୋକ । ଫଳରେ ଏକା ଭିଣୋଇ ଶାଳୀର ଶବକୁ ସାଇକେଲରେ ବାନ୍ଧି ଶ୍ମଶାନକୁ ନେଇ ସଂସ୍କାର କାର୍ଯ୍ୟ କରିଥିଲେ ।

Comments are closed.