କେନ୍ଦ୍ର ଉପରେ ପୁଣି ବର୍ଷିଲେ ମମତା

ଲୋକସଭା ନିର୍ବାଚନ ମାହୋଲ ମଧ୍ୟରେ ବୃଦ୍ଧି ପାଇଛି କମର୍ସିଆଲ ସିଲିଣ୍ଡର ଦର, ଯାହାକୁ ନେଇ ଶାସକ ବିଜେପି ଉପରେ ବର୍ଶିଛନ୍ତି ବିରୋଧୀ। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ବିଜେପି କ୍ଷମତାକୁ ଫେରେ ତେବେ ଏଲପିଜି ସିଲିଣ୍ଡର ମୂଲ୍ୟ ୨,୦୦୦ ଟଙ୍କା ହୋଇପାରେ।

ଆଜି ବେଙ୍ଗଲର ଏକ ଜିଲ୍ଲାରେ ସମ୍ବୋଧିତ କରିବା ସମୟରେ ମମତା କହିଛନ୍ତି, ଯଦି ପୁଣି ଥରେ ବିଜେପି ନିର୍ବାଚନ ଜିତେ, ତେବେ ରନ୍ଧନ ଗ୍ୟାସ ସିଲିଣ୍ଡରର ପିଛା ୧,୫୦୦ କିମ୍ବା ୨,୦୦୦ ଟଙ୍କାକୁ ବୃଦ୍ଧି କରିଦେବେ। ଏପରି ହେଲେ, ଲୋକେ ପୁଣି ଥରେ ସେହି ପୁରୁଣା ଦିନକୁ ଚାଲିଯିବେ। ଲୋକେ ଜଙ୍ଗଲରୁ କାଠ ଆଣି ରୋଷେଇ କରିବାକୁ ବାଧ୍ୟ ହେବେ ବୋଲି ମମତା କହିଛନ୍ତି।

 

 

ଉଭୟ ବାଣିଜ୍ୟିକ ଏବଂ ଘରୋଇ ସିଲିଣ୍ଡର ପାଇଁ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଦରରେ ପରିବର୍ତ୍ତନ ଆସିଥାଏ। ଚଳିତ ମାସ ବାଣିଜ୍ୟିକ ବା କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି କରାଯାଇଛି। କିନ୍ତୁ ୧୪ କେଜି ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ଫେବୃଆରୀ ୧ରେ ୧୪ ଟଙ୍କା ବୃଦ୍ଧି କରାଯାଇଥିଲା।

ଆଜି ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ସହ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦାମ୍ ୧,୯୭୫ ଟଙ୍କାରେ ପହଞ୍ଚିଛି। ସେହିପରି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ କୋଲକାତାରେ ୧,୯୧୧ ଟଙ୍କା, ମୁମ୍ବାଇରେ ୧,୭୪୯ ଟଙ୍କା ଏବଂ ଚେନ୍ନାଇରେ ୧,୯୬୦.୫୦ ଟଙ୍କା ରହିଛି। ଅନ୍ୟ ପ୍ରମୁଖ ସହରଗୁଡିକରେ ମଧ୍ୟ ସମାନ ଭାବେ ଦାମ୍ ବୃଦ୍ଧି ହୋଇଛି।

Comments are closed.