ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଦାଦନ ଶ୍ରମିକ

ଲୋଇସିଂହା(ମହେଶ କର) : ଅଳ୍ପକେ ବର୍ତ୍ତଲେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦାଦନ ଶ୍ରମିକ , କଟିଗଲା ଡାହାଣ ହାତ । ହାତ କଟିଥିବା ଯୁବକ ଜଣକ ସୋନପୁର ଜିଲ୍ଲା କୁଡାଡେରା ଗାଁର ଚନ୍ଦ୍ରଭାନୂ ଭୋଇ । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର-ସମ୍ୱଲପୁର ରେଲୱେ ଲାଇନର ବୁର୍ଡା ଫାଟକ ନିକଟରେ । ତାମିଲନାଡୁରେ ଦାଦନ ଶ୍ରମିକ ଭାବରେ କାମ କରୁଥିଲେ ଚନ୍ଦ୍ରଭାନୂ । ଗତକାଲି ରାତିରେ ଦାଦନ ଶ୍ରମିକ ଜଣକ ବଲାଙ୍ଗିର ରେଲୱେ ଷ୍ଟେସନରେ ପହଚିଂଥିଲେ । ତାକୁ ଦୁଇଜଣ ସଂପର୍କୀୟ ବାଇକରେ ଧରି ବୁର୍ଡା ଫାଟକ ଦେଇ ନିଜ ଗାଁକୁ ନେଉଥିଲେ । ଗତକାଲି ରାତି ପ୍ରାୟ ୧୦ଟା ରେ ବୁର୍ଡା ଠାରେ ଫାଟକ ପଡିଥିବାରୁ ତିନି ଜଣ ଅଟକିଥିଲେ । ସେ ସମୟରେ ବଲାଙ୍ଗିର ପଟୁ ଏକ ଏକ୍ସପ୍ରେସ ଟ୍ରେନ ଆସିଥିଲା । ହଠାତ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦାଦନ ଶ୍ରମିକ । କିନ୍ତୁ ଟ୍ରେନରେ ପିଟି ହୋଇ ଛିଟିକି ଯାଇଥିଲେ । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସଂପୂର୍ଣ୍ଣ କଟିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଚିଂ ୧୦୮ ଆମ୍ୱୁଲାନସ ସହାୟତାରେ ଗୁରୁତର ଯୁବକଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା । ବିଲମ୍ୱିତ ରାତିରେ ଗୁରୁତର ଚନ୍ଦ୍ରଭାନୂଙ୍କୁ କଟାହାତ ସହିତ ବୁର୍ଲାକୁ ରେଫର କରିଥିଲେ ଡାକ୍ତର । ରାତିରେ ଗୁରୁତର ଦାଦନ ଶ୍ରମିକଙ୍କୁ ବୁର୍ଲାକୁ ପଠାଇ ଦିଆଯାଇଥିଲା । ସେ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣାପଡିନାହିଁ । ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଦାଦନ ଶ୍ରମିକ ଜଣକ ମାନସିକ ଅବସାଦରେ ଥିବା ଚର୍ଚ୍ଚା ହେଉଛି । ବଲାଙ୍ଗିର ଜି.ଆର.ପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.