ମୋବାଇଲ ଫୋନ ଲୁଟ ମାମଲାରେ ୨ ଗିରଫ

ଜଟଣୀ(ସଞ୍ଜୀବ କୁମାର) : ରାସ୍ତା ରେ ଲୋକଙ୍କ ଠାରୁ ମୋବାଇଲ ଫୋନ ଲୁଟ କରିଥିବା ଅଭିଯୋଗରେ ପୁଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରି ସେମାନଙ୍କଠାରୁ ମୋବାଇଲ ଫୋନକୁ ଜବତ କରିଛି । ବିଭିନ୍ନ ସମୟରେ ଲୋକମାନଙ୍କଠାରୁ ନିଛାଟିଆ ରାସ୍ତାରେ ମୋବାଇଲ ଫୋନ ଲୁଟ କରୁଥିବା ବେଳେ ବୁଧବାର ଜଟଣୀ ଶ୍ରୀହରିବିହାର ଅଂଚଳର ଜିତୁ ପ୍ରସାଦ ମହାପାତ୍ର ବାଇକ ଯୋଗେ ଘର ଠାରୁ ସ୍ଥାନୀୟ ଅଂଚଳର ହରିଭାଇନା ଛକକୁ ଆସୁଥିବା ବେଳେ ଏକ ନିଛାଟିଆ ରାସ୍ତାରେ ୨ଜଣ ଯୁବକ ଏକ ପଲସର ଗାଡିରେ ଆସି ଜିତୁଙ୍କୁ ଅଟକାଇଥିଲେ । ଜିତୁଙ୍କ ପକେଟରେ ଥିବା ମୋବାଇଲ ଫୋନକୁ ଝାମ୍ପିନେଇ ଚମ୍ପଟମାରିଥିଲେ । ତେବେ ଏନେଇ ଜିତୁ ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ଏଥିରେ ସଂପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି ସେମାନଙ୍କ ଠାରୁ ୪ଟି ମୋବାଇଲ ଫୋନ ଓ ଏକ ବାଇକ ଜବତ କରିଛି । ଗିରଫ ଯୁବକ ହେଲେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଉସ୍ତପୁର ଗ୍ରାମର ଚନ୍ଦନ ଓରଫ ମୁନା ଓରଫ ଜଗନ ପ୍ରଧାନ(୨୪) । ସେ ଏବେ କଟକ ଜିଲ୍ଲା,କଟକ ସଦରଥାନା ଅଧିନସ୍ଥ ତେନ୍ତୁଳିନାଳୀ ଅଂଚଳର ଇଣ୍ଡେନ ଗ୍ୟାସ ଗୋଦାମ ନିକଟରେ ରହି ଏପରି ଲୁଟପାଟ କରୁଥିବା ପୁଲିସ କହିଛି । ସେହିପରି ଅନ୍ୟତମ ଲୁଟେରା ହେଉଛି କଟକ ସଦରଥାନା ଅଧିନସ୍ଥ ତେନ୍ତୁଳିନାଳୀ ଇଣ୍ଡେନଗ୍ୟାସ ଗୋଦାମ ନିକଟ ଅଂଚଳର ଗୁଡୁ ଓରଫ ବିଶାଲ ବିଶ୍ୱାଳ(୨୨) । ଗୁଡୁ ବାରଙ୍ଗଥାନା ଅନ୍ତର୍ଗତ ପଚୁଂପଲୀ ଗ୍ରାମର ବୋଲି ଜଟଣୀ ଥାନା ଆଇଆଇସି ସୈାମ୍ୟକାନ୍ତ ବଳିୟାରସିଂହ କହିଛନ୍ତି । ଏନେଇ ଜଟଣୀ ଥାନାରେ ଉଭୟ ଅଭିଯୁକ୍ତଙ୍କ ନାମରେ କେଶନଂ ୨୮୫/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି |

Comments are closed.