ଡିନର ଲେଟ କରୁଛନ୍ତିକି? ଭୋଗିବେ ଏହି ସମସ୍ୟା
ଭୁବନେଶ୍ୱର : କାର୍ଯ୍ୟବ୍ୟସ୍ତତା ଲାଗି ହେଉ ଅବା ଅନ୍ୟାନ୍ୟ କାରଣରୁ ଅନେକେ ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ଏହା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଜାଣିରଖନ୍ତୁ ସେ ସମ୍ପର୍କରେ…
ବାଧା ପାଏ ହଜମକ୍ରିୟା: ରାତି ଖାଇବା ଡେରି ହେଲେ ହଜମକ୍ରିୟା ବାଧାପ୍ରାପ୍ତ ହୁଏ। ଖାଦ୍ୟ ଭଲ ଭାବେ ହଜମ ନ ହେବାରୁ ଏସିଡିଟି ହେବା ସହ ଛାତି ଜଳିବା, ଆମ୍ବିଳା ହାକୁଟି ହେବା ଭଳି ସମସ୍ୟା ଦେଖାଦିଏ। ତେଣୁ ରାତିରେ ଶୀଘ୍ର ଖାଇବାକୁ ଚେଷ୍ଟା କରନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନେକେ ବିଳମ୍ବରେ ଖାଉଥିବାରୁ ସଙ୍ଗେ ସଙ୍ଗେ ଶୋଇ ପଡ଼ନ୍ତି। ହେଲେ ଏପରି ନ କରି ଖାଇବା ପରେ ଅଳ୍ପ ସମୟ ଚାଲବୁଲ କରିବା ପରେ ଶୁଅନ୍ତୁ।
ଦେଖାଦିଏ ମେଦବହୁଳତା: ଡେରିରେ ଖାଇବା ଦ୍ୱାରା ଖାଦ୍ୟ ହଜମ ନ ହୋଇ ପାରିବା କାରଣରୁ ଅନେକଙ୍କଠାରେ ମେଟାବଲିଜମ୍ ସ୍ତର ଅନିୟନ୍ତ୍ରିତ ହୋଇଥାଏ। ଶରୀରରେ ଅଧିକ କ୍ୟାଲୋରି ଜମା ହେବା ଫଳରେ ମେଦବହୁଳତା ଦେଖାଦିଏ, ଯାହାକି ପରବର୍ତ୍ତୀ ସମୟରେ ଡାଇବେଟିସ୍, ବ୍ଲଡ୍ପ୍ରେସର ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ।
ସାଜେ ନିଦ୍ରାହୀନତାର କାରଣ: ଏକ ଗବେଷଣା ରିପୋର୍ଟ ମୁତାବକ ରାତ୍ରିଭୋଜନ ବିଳମ୍ବରେ କରିବା ଦ୍ୱାରା ବଦହଜମୀ, ଗ୍ୟାସ୍ ଭଳି ବିଭିନ୍ନ ସମସ୍ୟା ଉପୁଜିବା ସହ ରାତିରେ ନିଦ୍ରା ବାଧାପ୍ରାପ୍ତ ହୋଇଥାଏ। କେବଳ ଏତିକି ନୁହେଁ, ମସ୍ତିଷ୍କ ଠିକ୍ ଭାବେ ବିଶ୍ରାମ ନ ପାଇବାରୁ କେତେକଙ୍କ ଠାରେ ଅଜବ ସ୍ବପ୍ନ ମଧ୍ୟ ଆସିଥାଏ।
ପ୍ରଭାବିତ କରେ ମାନସିକ ସ୍ବାସ୍ଥ୍ୟ: ଠିକ୍ ସମୟରେ ନ ଖାଇବା ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଏବଂ ଠିକ୍ ଭାବେ ନିଦ ନ ହେବା କାରଣରୁ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପଡିଥାଏ। ବାରମ୍ବାର ଏପରି ହେବା ଦ୍ୱାରା ଚିଡ଼ିଚିଡ଼ା ଲାଗିବା, ଡିପ୍ରେଶନ୍ ଭଳି ବିଭିନ୍ନ ମାନସିକ ସମସ୍ୟା ଦେଖାଦେଇଥାଏ।
Comments are closed.