୩୪ ତମ ଜନ୍ମ ଦିନ ଆଜି ପାଳିବେ କୋହଲି

ମେଲବର୍ଣ୍ଣ : ବିରାଟ କୋହଲି ଶନିବାର ୩୪ ବର୍ଷ ପୂରଣ କରିବେ। ୨୦୦୮ ମସିହାରୁ ପଦାର୍ପଣ କରିବା ପରଠୁ ୧୪ ବର୍ଷ ଧରି ସେ ଭାରତୀୟ କ୍ରିକେଟ୍‌ର ପ୍ରମୁଖ ଖେଳାଳି ଭାବେ ରହି ଆସିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କଠୁ ଅଧିନାୟକତ୍ବ ଭାର ଗ୍ରହଣ କରିବା ପରେ ଭାରତୀୟ ଦଳକୁ ୧ ନମ୍ବର ସ୍ଥାନରେ ପହଞ୍ଚାଇବା ତାଙ୍କର ସବୁଠୁ ବଡ଼ ଉପଲବ୍ଧି। ନେତୃତ୍ବ ଚାପ ତାଙ୍କ ଉପରେ ଅଧିକ ରହୁଥିବାରୁ ପରେ ଏଥିରୁ ଓହରିଯାଇ ବ୍ୟାଟିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ଯାହାଫଳରେ ସେ ଅଧିକ ଆକ୍ରମଣାତ୍ମକ ହୋଇ ଖେଳୁଛନ୍ତି। ତାଙ୍କ ବ୍ୟାଟିଂ ପାଳି ଆସିଲେ ବୋଲରଙ୍କ ଭିତରେ ଭୟ ଖେଳିଯାଉଛି ଏବଂ ଦର୍ଶକମାନଙ୍କର ଭଲ ମନୋରଂଜନ ହେଉଛି। କ୍ରିକେଟ୍‌ ଉପରେ ତାଙ୍କର ଆଧିପତ୍ୟକୁ ଦେଖି ସାମାଜିକ ଗଣମାଧ୍ୟମରେ ତାଙ୍କୁ ‘କିଙ୍ଗ୍‌ କୋହଲି’ର ଆଖ୍ୟା ଦିଆଯାଉଛି।

ଜୀବନର ଶିଖରରେ ପହଞ୍ଚିସାରିଥିଲେ ବି ପ୍ରଶଂସକଙ୍କ ସହିତ ତାଙ୍କର ଭାବ ବିନିମୟ ସେହି ପୁରୁଣା କୋହଲିଙ୍କ ଭଳି ରହିଛି। ବରଂ ପୂର୍ବାପେକ୍ଷା ସେ ଅଧିକ ପ୍ରଶଂସକଙ୍କ ପାଖରେ ପହଞ୍ଚୁଛନ୍ତି। ଯଦି ବି ଜଣେ କ୍ରିକେଟ୍‌ ପ୍ରଶଂସକ ହୋଇନଥିବ, ତଥାପି ବ୍ୟାରିକେଡ୍‌ ଡେଇଁ କୋହଲିଙ୍କୁ ଟିକେ ଭେଟିବାକୁ ଚାହିଁବେ। ପ୍ରତିବଦଳରେ ଗୋଟିଏ ଭଲ ହସ ସହିତ ଫେରିବେ। ସେ କେବଳ ତାଙ୍କ ପ୍ରଦର୍ଶନ ପାଇଁ ଉଚ୍ଚସ୍ଥାନରେ ନାହାନ୍ତି, ବରଂ ପ୍ରଶଂସକଙ୍କ ସହିତ ତାଙ୍କର ବ୍ୟବହାର ଓ ଯୋଗାଯୋଗ ହିଁ ତାଙ୍କୁ ଏତେ ବାଟ ଆଣିପାରିଛି। ଏବେ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆରେ ଥିବା କୋହଲି ପାଖାପାଖି ଦୁଇ ସପ୍ତାହ ଧରି ଏ ସହରରୁ ସେ ସହରକୁ ବୁଲୁଛନ୍ତି। ପ୍ରତ୍ୟେକ ସ୍ଥାନରେ ସେ ତାଙ୍କ ପ୍ରଶଂସକଙ୍କ ସହିତ ମିଶୁଥିଲା ବେଳେ ସେମାନଙ୍କୁ ଅଟୋଗ୍ରାଫ୍‌ ଦେଉଛନ୍ତି ଓ ସେଲ୍‌ଫି ଉଠାଉଛନ୍ତି। ଏପରିକି ଗ୍ରୁପ୍‌ ଫଟୋ ମଧ୍ୟ ଉଠାଇବାକୁ ପଛାଉନାହାନ୍ତି।

Comments are closed.