ଜାଣନ୍ତୁ କାହାକୁ କେଉଁ ବିଭାଗ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇଛି । ଏହି କ୍ରମରେ ପୂର୍ବ ସୂଚୀ ମୁତାବକ ସୋମବାର ଲୋକସେବା ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି ୩ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବାବେଳେ ସେମାନଙ୍କୁ ବିଭାଗ ମଧ୍ୟ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ନୂଆ ମନ୍ତ୍ରୀଙ୍କୁ ବିଭାଗ ପ୍ରଦାନ କରିଛନ୍ତି । ତଦନୁଯାୟୀ ବିକ୍ରମକେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇଛି । ନିରଞ୍ଜନ ପୂଜାରୀଙ୍କ ଠାରୁ ଅର୍ଥ ବିଭାଗ ଆଣି ବିକ୍ରମ କେଶରୀ ଆରୁଖଙ୍କୁ ପ୍ରଦାନ କରାଯାଇଛି । ଏବେ ନିରଞ୍ଜନଙ୍କ ହାତରେ କେବଳ ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟବିଭାଗ ରହିଛି । ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରଦାନ କରାଯାଇଛି । ପୂର୍ବରୁ ସମୀର ଦାଶ ଏହି ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପକ୍ଷରେ ସାରଦା ନାୟକଙ୍କ ଶ୍ରମ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି ।

ନବ ଦାସଙ୍କ ହତ୍ୟା ଏବଂ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ଆଉ ଆଜି ସେଗୁଡ଼ିକ ପୂରଣ ହୋଇଯାଇଛି। ମନ୍ତ୍ରୀ ପଦ ପୂରଣ ହୋଇଯାଇଥିଲେ ହେଁ ବାଚସ୍ପତି ପଦ ଖାଲି ପଡ଼ିଛି। ବାଚସ୍ପତି ପଦରେ ସରକାର କାହାକୁ ବସାଇବେ, ସେ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି।

ଆଜି ସକାଳ ୯ଟା ୫୦ ମିନିଟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ଶପଥ ପାଠ କରାଇଥିଲେ । ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଏବେ ବିଭାଗ ବଣ୍ଟନ କରାଯାଇଛି ।

ଉଲ୍ଲେଖ ଥାଉ କି ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆଉ ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଶ୍ରୀ ଆରୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପୁନର୍ବାର ଶ୍ରୀ ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି।

Comments are closed.