ବିଜେଡି ବିଧାୟକ ପ୍ରଫୁଲ୍ଲଙ୍କ ଘରୁ କଣ ପାଇଲା ଇଡି, ଜାଣନ୍ତୁ
ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ତଥା ତାଙ୍କ ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ସକାଳେ ଇଡି ପ୍ରଫୁଲ୍ଲ ସାମଲ ଙ୍କ ଭଦ୍ରକସ୍ଥିତ ଘରେ ଚଢ଼ାଉ କରିଥିବା ବେଳେ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ପଶିଛି ଇଡି। ଇଡି ଟିମ୍ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍ ଜବତ କରିଛି।
ବରପଦା ଇଞ୍ଜିନିୟରିଂ କଲେଜରେ ପ୍ରାୟ ୨୦କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ଇଡି ଟିମ୍ ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ୍ କରିଥିଲେ। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।
ପ୍ରୟାସକାନ୍ତି ସାମଲଙ୍କ ଘରୁ ଇଡି ଟିମ୍ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର ଗାଡ଼ି ଜବତ କରିଛି। ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତ୍ରିଷ୍ଣା ସ୍କାଏ ସ୍କାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ଜଣାଯାଇଛି। ବରପଦା ଇଞ୍ଜିନିୟରିଂ କଲେଜ ନାଁରେ କିଣାଯାଇଥିବା ଜମିକୁ ଏହି ସଂସ୍ଥାକୁ ଦିଆଯାଇଥିଲା। ପ୍ରୟାସକାନ୍ତି ସାମଲଙ୍କର ଏହି ସଂସ୍ଥା ସହ ବେଶ୍ ଘନିଷ୍ଠ ସମ୍ପର୍କ ଥିଲା। ଗତକାଲି ରେଡ ସମୟରେ ପ୍ରୟାସକାନ୍ତି ଉପସ୍ଥିତ ନ ଥିଲେ। ତେଣୁ ଆଜି ପୁଣି ଥରେ ଇଡି ସେଠାକୁ ଯାଇପାରେ ବୋଲି ଅନୁମାନ କରାଯାଉଛି।
ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା। କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।
Comments are closed.