ସୋନିଆଙ୍କ ସମ୍ପତ୍ତି କେତେ ?

ରାଜ୍ୟସଭା ଯିବେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି। ଏଥିପାଇଁ ସେ ରାଜସ୍ଥାନ ଜୟପୁରରୁ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସୋନିଆ ସତ୍ୟପାଠରେ ନିଜ ସମ୍ପତ୍ତି ବାବଦରେ ବି ଉଲ୍ଲେଖ କରିଛନ୍ତି।

ସତ୍ୟପାଠ ଅନୁଯାୟୀ, ସୋନିଆଙ୍କ ନିକଟରେ ସର୍ବମୋଟ ୧୨ କୋଟି ୫୩ ଲକ୍ଷ ଟଙ୍କାର ପ୍ରପର୍ଟି ରହିଛି। ସେଥି ମଧ୍ୟରେ ଇଟାଲିରେ ଥିବା ପୈତୃକ ସମ୍ପତ୍ତି ବି ରହିଛି। ସୋନିଆଙ୍କ ବିବରଣୀ ଅନୁଯାୟୀ, ଇଟାଲିରେ ତାଙ୍କୁ ମିଳିଥିବା ପୈତୃକ ସମ୍ପତ୍ତିର ମୂଲ୍ୟ ୨୬, ୮୩, ୫୯୪ ଟଙ୍କା ।

ଏହି ସମ୍ପତ୍ତିରୁ ସୋନିଆଙ୍କର ପ୍ରତିବର୍ଷ ଆୟ ବି ହେଉଛି। ଏଥିନିମନ୍ତେ ସେ RBIଠୁ ଲାଇସେନ୍ସ କରିଥିବା ଜଣାଇଛନ୍ତି। ସୋନିଆଙ୍କ ନିକଟରେ ୮୮ କେଜି ରୂପା ସାଙ୍ଗକୁ ୧୨୬୭ ଗ୍ରାମ ସୁନା ବି ରହିଛି। ଏ ସମ୍ପର୍କରେ ସେ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ପରେ ୫ ବର୍ଷ ମଧ୍ୟରେ ସୋନିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ ୭୨ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ଉକ୍ତ ବର୍ଷ ସୋନିଆ ରାୟବରେଲି ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଉକ୍ତ ସମୟରେ ଦାଖଲ କରିଥିବା ସତ୍ୟପାଠରେ ସେ ନିଜ ସମସ୍ତ ସମ୍ପତ୍ତିର ମୂଲ୍ୟ ୧୧ କୋଟି ୮୧ ଲକ୍ଷ ବୋଲି ଉଲ୍ଲେଖ କରିଥିଲେ। ଏବେ ସେଥିରେ ୭୨ ଲକ୍ଷ ଟଙ୍କା ବୃଦ୍ଧି ପାଇ ତାହା ୧୨ କୋଟି ୫୩ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ସୋନିଆଙ୍କ ନିକଟରେ ୩ ବିଘା ଚାଷ ଜମି ରହିଛି। ଯାହାର ଆନୁମାନିକ ମୂଲ୍ୟ ୫.୮୮ କୋଟି ବୋଲି ଉଲ୍ଲେଖ ଅଛି। ୨୦୧୯ରେ ଦାଖଲ କରିଥିବା ସତ୍ୟପାଠରେ ସୋନିଆ ଦିଲ୍ଲୀ ନିକଟ ଡେରାମାଣ୍ଡି ଗାଁରେ ୩ ବିଘା ଜମି ଓ ସୁଲତାନପୁର ମହରୌଲିରେ ୧୨ ବିଘା ୧୫ ବିସ୍ତା ଜମି ଥିବା ଉଲ୍ଲେଖ କରିଥିଲେ। ମାତ୍ର ଏଥର ଦାଖଲ କରିଥିବା ସତ୍ୟପାଠରେ ଉକ୍ତ ୧୨ ବିଘା ଜମି ସମ୍ପର୍କରେ କୌଣସି ଉଲ୍ଲେଖ କରି ନାହାନ୍ତି। ସେତେବଳେ ଉକ୍ତ ଦୁଇ ଜମିର ଦାମ ୭.୨୯ କୋଟି ବୋଲି ଉଲ୍ଲେଖ କରିଥିଲେ।

Comments are closed.