ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ

ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍ ଆଣିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର। ବିରୋଧୀଙ୍କୁ ଜବାବ ଦେବା ପାଇଁ ନିଜ ଆଡୁ ଆସ୍ଥା ଭୋଟ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି କେଜ୍ରିୱାଲ। ଏହାରି ମଧ୍ୟରେ ସେ ଆଜି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରରେ ହାଜର ହୋଇଛନ୍ତି।

ସାଧାରଣତଃ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥାନ୍ତି। କିନ୍ତୁ କେଜ୍ରିୱାଲ ନିଜ ଆଡୁ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି। ତେଣୁ ଆଜି ତାଙ୍କ ଆପ୍ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ କରିବ।

70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ପାଖରେ 62 ବିଧାୟକ ଅଛନ୍ତି। ବହୁ ମତ ଥାଇ ମଧ୍ୟ ନିଜ ଆଡୁ ଆସ୍ଥା ଭୋଟ୍ ଆଣିବାକୁ ଚାହୁଁଛନ୍ତି କେଜ୍ରିୱାଲ। କାରଣ ସେ କହିଛନ୍ତି ଯେ, ଗୋଟିଏ ଅବକାରୀ ମାମଲା (ମଦ ଦୁର୍ନୀତି)ରେ ଆପ୍ କର୍ମୀମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ବିଜେପି ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚାହୁଁଛି। ତେଣୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ଜନତାଙ୍କୁ ବିଶ୍ୱାସ ଦେବାକୁ ଆସ୍ଥା ଭୋଟ୍ ଆସିବ ବୋଲି କେଜ୍ରିୱାଲ କହିଛନ୍ତି।

ଏହା ପୂର୍ବରୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଦ ନୀତି ମାମଲାରେ ଇଡି ସମନକୁ ଏଡାଇବାକୁ ନେଇ କୋର୍ଟରେ ହାଜର ହୋଇଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ କେଜ୍ରିୱାଲ। ଅଦାଲତରେ ଇଡି କହିଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟମୂଳକ ଭାବେ ସମନକୁ ବାରମ୍ବାର ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ ସେ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି କି ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁନାହାନ୍ତି।

Comments are closed.