ସିବିଆଇ ଜେରା ପରେ ଏମିତି କିଛି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ :ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ସିବିଆଇ କେଜ୍ରିୱାଲଙ୍କୁ ସାଢ଼େ ୯ ଘଣ୍ଟା ଜେରା କରିଛି। ଆଜି ସେ ସମନ ଅନୁସାରେ ୧୧ଟା ପୂର୍ବରୁ ସିବିଆଇର ମୁଖ୍ୟାଳୟରେ ପହଞ୍ଚିଥିଲେ। ଜେରା ଶେଷ ହେବା ପରେ ରାତି ପ୍ରାୟ ୮.୩୦ରେ ସେ ସିବିଆଇ ମୁଖ୍ୟାଳୟରୁ ବାହାରି ଥିଲେ। ଏହାପରେ ସେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି। ସିବିଆଇ ତାଙ୍କୁ ପଚାରିଥିବା ସମସ୍ତ ୫୬ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ଏଥିସହ ପୂରା ମାମଲା ଫର୍ଜି ବୋଲି କହିଛନ୍ତି।

ସାମ୍ବାଦିକମାନଙ୍କୁ ଜେରା ସମ୍ପର୍କରେ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି, “ସିବିଆଇ ପକ୍ଷରୁ ମୋତେ ୫୬ଟି ପ୍ରଶ୍ନ ପଚରା ଯାଇଥିଲା। ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇଛି। ସିବିଆଇ ପଚରାଉଚରା ୯.୫ ଘଣ୍ଟା ଧରି ଚାଲିଥିଲା।

ତଥାକଥିତ ଅବକାରୀ ନୀତି ସ୍କାମ ମିଛ ଓ ଖରାପ ରାଜନୀତିର ଅଂଶବିଶେଷ। ଆପ୍‌ ହେଉଛି କଟୋର ସଚ୍ଚୋଟ ଦଳ। ଆମେ ମରିଯିବୁ ପଛେ, ସଚ୍ଚୋଟତା ସହ କୌଣସି ପ୍ରକାରର ବୁଝାମଣା କରିପାରିବୁ ନାହିଁ। ସେମାନେ ଆପକୁ ଖତମ କରିଦେବାକୁ ଚାହୁଁଛନ୍ତି। କିନ୍ତୁ ଦେଶର ଲୋକମାନେ ଆମ ସହ ରହିଛନ୍ତି।” ଆପ୍‌ ସୁପ୍ରିମ ଆହୁରି କହିଛନ୍ତି ଯେ ସିବିଆଇ ତାଙ୍କୁ ପୁଣି ଡାକିବି ବୋଲି କୌଣସି ପ୍ରକାରର ସଙ୍କେତ ଦେଇନାହିଁ।

Comments are closed.