କଂଗ୍ରେସରେ ଯୋଗ ଦେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :କର୍ଣ୍ଣାଟକରେ ଭାଜପାକୁ ଲାଗିଛି ସାଂଘାତିକ ଝଟକା । ଆଜି ପଦ୍ମ ଛାଡ଼ି ହାତ ଧରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର । ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ଦଳ ଶେଟ୍ଟାରଙ୍କୁ ଅଣଦେଖା କରି ଟିକେଟ ପ୍ରଦାନ କରି ନ ଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।

ଆଜି ପୂର୍ବାହ୍ନ ୧୦ଟା ପରେ ଶେଟ୍ଟାର ବାଙ୍ଗାଲୋରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଦଳର ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲାଙ୍କ ଉପସ୍ଥିତିରେ ଶେଟ୍ଟାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଜଗଦୀଶ ଶେଟ୍ଟାରଙ୍କୁ ମନାଇବା ପାଇଁ ଭାଜପା ପକ୍ଷରୁ ଜୋରଦାର ଉଦ୍ୟମ ହୋଇଥିବା ବେଳେ ଶେଷରେ ତାହା ବିଫଳ ହୋଇଛି।

ଜଗଦୀଶ ଶେଟ୍ଟାର ଭାଜପାର ରାଜ୍ୟ ସଭାପତି ସହ ବିଧାନସଭାର ବାଚସ୍ପତି ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି। ଏହା ବ୍ୟତୀତ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ମଧ୍ୟ ସମ୍ଭାଳି ସାରିଛନ୍ତି। ଶେଟ୍ଟାର ଲଗାତର ୬ ଥର ହୁବଲି-ଧରୱାଡ କେନ୍ଦ୍ରୀୟ ଆସନରୁ ନିର୍ବାଚନ ଜାତି ସାରିଛନ୍ତି। ସେ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବା ବେଳେ ଦଳର ଜଣେ ଆଗଧାଡ଼ିର ନେତା ଭାବେ ପରିଚିତ। ଏହା ସତ୍ତ୍ୱେ ଦଳ ତାଙ୍କୁ ଚଳିତ ନିର୍ବାଚନ ପୂର୍ବରୁ ଅଣଦେଖା କରିଛି। ଏଥି ଯୋଗୁ ଖୁବ୍‌ ଅପମାନିତ ବୋଧ କରିଥିବା ଶେଟ୍ଟାର ଶେଷରେ ଭାଜପା ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନଥିବା କହି ଶେଟ୍ଟାରଙ୍କୁ ଦଳର ମୁଖ୍ୟ ଜେପି ନାଡାଙ୍କୁ ଏକ ଚିଠି ଲେଖିବାକୁ କୁହାଯାଇଥିଲା। କିନ୍ତୁ ଶେଟ୍ଟାର ଏଥିରେ ରାଗିଯାଇ ଗଣମାଧ୍ୟମ ସମ୍ମୁଖରେ ଭାଜପାର ମୁଖା ଖୋଲି ଦେଇଥିଲେ। ଏହାକୁ ନେଇ ଦଳ ତରଫରୁ ତାଙ୍କୁ ମନାଇବାକୁ ବହୁ ଚେଷ୍ଟା କରାଯାଇଥିଲେ ବି କିଛି ଲାଭ ମିଳି ନ ଥିଲା। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ​​ଶେଟ୍ଟାର ଭାଜପା ଛାଡ଼ିବା ପରେ ଦଳକୁ କ୍ଷତି ପହଞ୍ଚାଇବ ବୋଲି ଆକଳନ କରାଯାଉଛି।

Comments are closed.