୧୦ ରେ ମିଳିପାରେ କେଜ୍ରିୱାଲଙ୍କୁ ଜାମିନ

ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଜାମିନ ମିଳିପାରେ। ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମଙ୍ଗଳବାର କେଜ୍‌ରିଓ୍ବାଲଙ୍କ ଜାମିନ ଆବେଦନର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ଅନ୍ତରୀଣ ଜାମିନ ଦିଆଗଲେ ମଧ୍ୟ କେଜ୍‌ରିଓ୍ବାଲ କୌଣସି ଫାଇଲରେ ଦସ୍ତଖତ କରିପାରିବେ ନାହିଁ ବୋଲି ଶୀର୍ଷ ଅଦାଲତ ସ୍ପଷ୍ଟ କରିଥିଲେ। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁକ୍ରବାର ରାୟ ପ୍ରକାଶ ପାଇବ ବୋଲି କହିଥିଲେ। ମାର୍ଚ୍ଚ ୨୧ରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା କେଜ୍‌ରିଓ୍ବାଲ କେନ୍ଦ୍ରୀୟ ଏଜେନ୍ସିର ଏହି କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ତାଙ୍କ ମୂଳ ଆବେଦନର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ଜାମିନ ପ୍ରଦାନ ପାଇଁ ଅଦାଲତ ପୂର୍ବରୁ ସର୍ତ୍ତ ବାଢ଼ିଥିବାରୁ ତାଙ୍କୁ ଲୋକ ସଭା ନିର୍ବାଚନ ଦୃଷ୍ଟିରୁ ବେଲ୍‌ ମିଳିପାରେ ବୋଲି ଆଶା କରାଯାଉଛି।

Comments are closed.