ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ଜୟ ଶଙ୍କର

ନୂଆଦିଲ୍ଲୀ :ସୀମା ପାର ଆତଙ୍କବାଦ ଚଳାଇଥିବା ପଡ଼ୋଶୀ ସହ ସମ୍ପର୍କ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଆସନ୍ତା ମାସରେ ଏସ୍‌ସିଓର ବୈଦେଶିକ ରାଷ୍ଟ୍ରମନ୍ତ୍ରୀମାନଙ୍କ ବୈଠକ ଭାରତର ଗୋଆରେ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି ଭାରତ ଆସୁଛନ୍ତି।

୨୦୧୧ ପରେ ପାକିସ୍ତାନର କୌଣସି ବୈଦେଶିକ ମନ୍ତ୍ରୀ ଭାରତ ଆସୁଥିବା ବେଳେ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଇସଲାମାବାଦର ନାଁ ନ ନେଇ ତୀବ୍ର ସମାଲୋଚନା କରିଛନ୍ତି।

ବିଲାୱଲ ଭାରତ ଗସ୍ତରେ ଆସୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରୁ ନଥିବାରୁ ଏହି ଆଲୋଚନା ଉପରେ ଏବେ କଳାବାଦଲ ଘୋଟେଇ ଆସିଛି। ଜମ୍ମୁ-କଶ୍ମୀରର ପୁଞ୍ଚରେ ଆତଙ୍କବାଦୀ କରିଥିବା ହମଲାରେ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଓଡ଼ିଶାର ଦେବାଶିଷ ବିଶ୍ୱାଳ ମଧ୍ୟ ରହିଥିଲେ। ଉକ୍ତ ଆତଙ୍କୀ ହମଲାକୁ ନେଇ ଜୟଶଙ୍କର ପାକିସ୍ତାନ ବିରୋଧରେ ସୀମା ପାର ଆତଙ୍କବାଦ ଶବ୍ଦର ବ୍ୟବହାର କରିଛନ୍ତି।

ମେ’ ୫ ତାରିଖରେ ଜୟଶଙ୍କର ହିଁ ଏସ୍‌ସିଓ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଅଧ୍ୟକ୍ଷତା କରିବେ। ଏଥିରେ ବିଲାୱଲଙ୍କ ବ୍ୟତୀତ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଓ ଚାଇନାର କ୍ୱିନ ଗାଙ୍ଗ ମଧ୍ୟ ଯୋଗଦେବେ। ଏହି ବୈଠକ ଅବସରେ ଜୟଶଙ୍କର ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

Comments are closed.