ପୁଣି ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଯବାନ ସହୀଦ

ନୂଆଦିଲ୍ଲୀ :ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ାରେ ହୋଇଛି ବଡ଼ ହମଲା। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡ(ଡିଆରଜି)ର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୁଲିସ୍‌ ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦ ଯବାନ ଓ ଡ୍ରାଇଭର ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି।

ମଳିଥିବା ସୂଚନା ଅନୁସାରେ, ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗୋଟିଏ ଗାଡ଼ିରେ ୧୦ ଜଣ ଡିଆରଜି ଯବାନ ଅପରେସନରେ ବାହାରିଥିଲେ। ସେମାନେ ନକ୍ସଲ ବିରୋଧୀ ଅପରେସନରୁ ଅପରାହ୍ନ ସମୟରେ ଫେରୁଥିବା ବେଳେ ଆଇଆଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି।

ପୁଲିସ୍‌ କର୍ମଚାରୀମାନେ ଫେରୁଥିବା ରାସ୍ତାରେ ନକ୍ସଲମାନେ ଆଇଆଇଡି ବିଛାଇ ରଖିଥିଲେ। ଗାଡ଼ିଟି ଏହା ସଂସ୍ପର୍ଶରେ ଆସିବା କ୍ଷଣି ବିସ୍ଫୋରଣ ଘଟିଥିଲା। ଏହା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ବେଶ କିଛି ବାଟ ଛିଟିକି ଯାଇଥିଲା ଓ ଏଥିରେ ଥିବା ସମସ୍ତ ୧୧ ଜଣ ସହିଦ ହୋଇଥିଲେ। ରାଜ୍ୟ ପୁଲିସ୍‌ ଅଧୀନରେ ଡିଆରଜି କାମ କରିଥାଏ। ନକ୍ସଲ ବିରୋଧୀ ଅପରେସନ ପାଇଁ ଏହି ସ୍ୱତନ୍ତ୍ର ଫୋର୍ସ ଗଠନ କରାଯାଇଥିଲା। ଏଥିରେ ସ୍ଥାନୀୟ ଆଦିବାସୀଙ୍କୁ ଅଧିକ ସଂଖ୍ୟାକରେ ନିଯୁକ୍ତି ଦିଆଯାଇଥାଏ।

ଆଜିର ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିବା ସହ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ନକ୍ସଲ ବିରୋଧୀ ଲଢ଼େଇ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନକ୍ସଲମାନଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ କହିଛନ୍ତି।

Comments are closed.