ଆକ୍ରମଣ ଯଥାର୍ଥ କହିଲା ଇସ୍ରାଏଲ

ତେଲ ଅଭିଭ: ଇସ୍ରାଏଲ ଅଧିକାରୀମାନେ ଗାଜା ଆକ୍ରମଣକୁ ଯଥାର୍ଥ ଦର୍ଶାଇବା ସହ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷଙ୍କୁ କହିଛନ୍ତି ଯେ, ଗାଜାପଟିରେ ବ୍ୟାପକ ବେସାମରିକ କ୍ଷୟକ୍ଷତି ପାଲେଷ୍ଟାଇନ ଅଞ୍ଚଳରେ ହମାସ ବିରୋଧରେ ଇସ୍ରାଏଲର ସାମରିକ ଅଭିଯାନରେ ଏକ ‘ଗ୍ରହଣୀୟ ମୂଲ୍ୟ’। ଇସ୍ରାଏଲର ଅଧିକାରୀମାନେ ଜର୍ମାନୀ ଓ ଜାପାନରେ ହୋଇଥିବା ବୋମା ବିସ୍ଫୋରଣକୁ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଆମେରିକା ଓ ଏହାର ସହଯୋଗୀ ଶକ୍ତିମାନେ ହିରୋସିମା ଓ ନାଗାସାକି ଉପରେ ଦୁଇଟି ପରମାଣୁ ବୋମା ପକାଇବା ମଧ୍ୟ ସାମିଲ ଥିଲା।

ଗତ କିଛି ଦିନ ହେବ ଜୋ ବାଇଡେନ୍ ପ୍ରଶାସନ ଇସ୍ରାଏଲ-ହାମାସ ଯୁଦ୍ଧକୁ ନେଇ ନିଜର ଆଭିମୁଖ୍ୟ ବଦଳାଇଥିବା ବେଳେ ଇସ୍ରାଏଲ ଅଧିକାରୀମାନେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ସଂକଳ୍ପକୁ ଦୋହରାଇଛନ୍ତି। ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଆକାଶମାର୍ଗ, ସମୁଦ୍ର ଏବଂ ସ୍ଥଳପଥରେ ଅଭୂତପୂର୍ବ ଆକ୍ରମଣ କରିଥିଲା, ଯାହାକୁ ହଲୋକଷ୍ଟ ପରେ ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି। ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖିଛି, ଯେଉଁଥିରେ ଅଦ୍ୟାବଧି ୮,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହି ପ୍ରସଙ୍ଗରେ ଆମେରିକା ଇସ୍ରାଏଲକୁ ସବୁ ପ୍ରକାର ସମର୍ଥନ କରୁଛି। କିନ୍ତୁ ଯେତେବେଳେ ଇସ୍ରାଏଲ ଆକାଶମାର୍ଗରୁ ଗାଜା ଉପରେ ବୋମା ମାଡ଼ କରିବା ସହ ଉତ୍ତର ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କଲା, ବାଇଡେନ ପ୍ରଶାସନ ସତର୍କତାର ସହ ପ୍ରତିକ୍ରିୟା ପ୍ରକାଶ କରିଛି।

Comments are closed.