ଗାଜାକୁ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି। ଏହି ସମୟରେ ଭାରତ ସହଯୋଗର ହାତ ବଢ଼ାଇ ମାନବୀୟ ସହାୟତା ପଠାଇଛି।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପାଲେଷ୍ଟାଇନ ଲୋକମାନଙ୍କ ପାଇଁ ୬.୫ ଟନ୍ ର ମେଡିକାଲ ସାହାଯ୍ୟ ଏବଂ ୩୨ ଟନ୍ ଜରୁରୀକାଳୀନ ସହାୟତା ସାମଗ୍ରୀ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ଏଲ-ଏରିଶ ବିମାନ ବନ୍ଦର ଅଭିମୁଖେ ବାହାରିଛି।

ଗାଜାକୁ ପଠାଯାଇଥିବା ସାହାଯ୍ୟରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟର୍ପାଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାମିଲ। ତେବେ ଇଜିପ୍ଟ ଦେଇ ମାନବିକ ସହାୟତା ଶନିବାର ଠାରୁ ଗାଜାରେ ପହଞ୍ଚିବା ଆରମ୍ଭ କରିଛି। ମାନବିକ ସହାୟତାକୁ ଗାଜାରେ ପହଞ୍ଚିବା ପାଇଁ ଇଜିପ୍ଟ ରାଫା ସୀମା ଖୋଲିଛି। ସୁରକ୍ଷା ସୂତ୍ର ତଥା ଜଣେ ଇଜିପ୍ଟର ରେଡକ୍ରସ ଅଧିକାରୀ AFP କୁ କହିଛନ୍ତି ଯେ ଇଜିପ୍ଟରୁ ଗାଜା ପର୍ଯ୍ୟନ୍ତ ମାନବିକ ସହାୟତା ନେଇ ଟ୍ରକ୍ ଶନିବାର ରାଫା ସୀମା ଦେଇ ଯିବା ଆରମ୍ଭ କରିଛି।

Comments are closed.