ଡ୍ରୋନ୍ ଟେକ୍ନୋଲୋଜିର ଭାରତର ବିକାଶ ହୋଇଛି, ଅନୁରାଗ ଠାକୁର
ନୂଆଦିଲ୍ଲୀ: ଟେକ୍ନୋଲୋଜି ପ୍ରକୃତରେ ଦ୍ରୁତ ଗତିରେ ବିଶ୍ୱକୁ ପରିବର୍ତ୍ତନ କରିବାରେ ଲାଗିଛି ଏବଂ ଏହା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ହୋଇ ପଡିଛି, କାରଣ ଏହାର ପ୍ରୟୋଗ ପୃଥିବୀର ଅନେକ ଜଟିଳ ସମସ୍ୟାର ସମାଧାନ କରୁଛି ବୋଲି ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ବକ୍ତବ୍ୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଥରେ ଭାରତ ନିକଟରେ ଏକ ମିଲିୟନ ସମସ୍ୟାର ଏକ ବିଲିୟନ ସମାଧାନ ରହିଛି ବୋଲି କହିଥିଲେ, ଯାହା ଆଧୁନିକ ପ୍ରଯୁକ୍ତି ଦ୍ବାରା ସମ୍ଭବ ବୋଲି ମନ୍ତ୍ରୀ କହିଥିଲେ।
ଭାରତରେ ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଷୟରେ ସୂଚନା ଦେଇ ଠାକୁର କହିଛନ୍ତି ଯେ, ବିଟିଂ ରିଟ୍ରିଟ୍ ସମୟରେ ଆଇଆଇଟିର ପୂର୍ବତନ ଛାତ୍ରମାନଙ୍କ ନେତୃତ୍ୱରେ ଭାରତୀୟ ଷ୍ଟାର୍ଟ-ଅପ୍ ‘ବୋଟ୍ଲ୍ୟାବ୍ ଡାଇନାମିକ୍ସ’ ଦ୍ୱାରା ଭାରତରେ ପ୍ରସ୍ତୁତ ୧୦୦୦ ଡ୍ରୋନର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମଗ୍ର ଦେଶ ଆଶ୍ଚର୍ଯ୍ୟଚକିତ ହୋଇଥିଲା। ଗ୍ରାମଗୁଡିକରେ ଡ୍ରୋନ୍ ମାଧ୍ୟମରେ ଜମି ଓ ଘର ଉପରେ ସର୍ଭେ କରାଯାଉଛି। ଗ୍ରାମାଂଚଳର ଜମିରେ କୀଟନାଶକ ଏବଂ ନାନୋ ସାର ସିଂଚନ ପାଇଁ ଡ୍ରୋନକୁ ବହୁଳ ଭାବେ ବ୍ୟବହାର କରାଯାଉଛି ବୋଲି ସେ କହିଥିଲେ।
ଭାରତର ବୃହତ୍ତମ ଡ୍ରୋନ୍ ଉତ୍ପାଦନ ସଂସ୍ଥା ଗରୁଡ ଏରୋସ୍ପେସ୍ ଦ୍ୱାରା କରାଯାଇଥିବା ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ଏହି ସଂସ୍ଥା ପରିଦର୍ଶନ କରିବା ସମୟରେ ମନ୍ତ୍ରୀ ଗରୁଡ କିଷାନ ଡ୍ରୋନର ଉନ୍ନତ ଉପକରଣ ଏବଂ ଉତ୍ପାଦନ ପ୍ରକ୍ରିୟାକୁ ମଧ୍ୟ ଦେଖିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଆରମ୍ଭରେ ଉଦ୍ଘାଟନ କରିଥିଲେ।
ପ୍ରତିରକ୍ଷାଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ପାଇଁ ଡ୍ରୋନ୍ ଟେକ୍ନୋଲୋଜି ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ୨୦୨୩ରେ ଭାରତକୁ ଅତି କମ୍ରେ ଏକ ଲକ୍ଷ ପାଇଲଟ୍ଙ୍କର ଆବଶ୍ୟକତା ପଡିବ ବୋଲି ଦର୍ଶାଇ ସେ କହିଲେ ଯେ ପ୍ରତ୍ୟେକ ପାଇଲଟ୍ ମାସକୁ ଅତି କମ୍ରେ ୫୦ରୁ ୮୦ ହଜାର ଟଙ୍କା ରୋଜଗାର କରିବେ। ତେଣୁ ବର୍ଷକୁ ୫୦୦୦୦ x ୧ ଲକ୍ଷ ଯୁବକ x ୧୨ ମାସ = ୬୦୦୦ କୋଟି ଟଙ୍କାର ରୋଜଗାର ଡ୍ରୋନ୍ ସେକ୍ଟରରେ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏକ ଲକ୍ଷ ସ୍ବଦେଶୀ ଡ୍ରୋନ୍ ତିଆରି କରିବାକୁ ଗରୁଡ ଏରୋସ୍ପେସ୍ର ଯୋଜନାକୁ ସେ ପ୍ରଶଂସା କରିଥିଲେ। ବର୍ତ୍ତମାନ ଦେଶରେ ୨୦୦ରୁ ଅଧିକ ଡ୍ରୋନ୍ ଷ୍ଟାର୍ଟ-ଅପ୍ କାର୍ଯ୍ୟ କରୁଥିବା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏହା ମାଧ୍ୟମରେ ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
Comments are closed.