ପ୍ରଥମ ମ୍ୟାଚରେ ବାଜି ମାରିନେଲା ଗୁଜୁରାଟ

ନୂଆଦିଲ୍ଲୀ :ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ବାଜିମାତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ୫ ୱିକେଟରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ହରାଇ ଦେଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜ ଗାଏକ୍ୱାଡଙ୍କ ବିସ୍ଫୋରକ ୯୨ ରନ ବଳରେ ୭ ୱିକେଟ ହରାଇ ୧୭୮ ରନ କରିଥିଲା। ଏହାର ଜବାବରେ ଗୁଜରାଟ ଶୁବମନ ଗିଲଙ୍କ ଚମତ୍କାର ୬୩ ଓ ଶେଷ ଭାଗରେ ରଶିଦ ଖାନଙ୍କ ୩ ବଲରେ ଅପରାଜିତ ୧୦ ରନ ବଳରେ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ଶେଷ ୫ ବଲରେ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ରାହୁଲ ତେୱାତିଆ ଚମତ୍କାର ଚୌକା ମାରି ଦଳର ବିଜୟ ମୁଣ୍ଡି ମାରିଥିଲେ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ ଦେଖାଇଥିବା ଗୁଜରାଟର ରଶିଦ ଖାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ବୋଲିଂରେ ୨୬ ରନ ଦେଇ ୨ଟି ୱିକେଟ ଦଖଲ କରିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ୧୪ ରନରେ ପ୍ରଥମ ୱିକେଟ ହରାଇଥିଲା। ଡେଭୋନ କନୱେ ମାତ୍ର ୧ ରନ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଥିଲେ। ମୋଇନ ଅଲୀ ଭଲ ଆରମ୍ଭ କରିଥିଲେ ହେଁ କେବଳ ୨୩ ରନ କରିବାକୁ ସକ୍ଷମ ହୋଇଥିଲେ। ବେନ ଷ୍ଟୋକ୍ସ ୭, ଅମ୍ବାତି ରାୟୁଡୁ ୧୨, ଶିବମ ଦୁବେ ୧୯, ରବୀନ୍ଦ୍ର ଜାଡେଜା ୧ ରନ କରିବାକୁ ସକ୍ଷମ ହୋଇଥିଲେ।ଦଳୀୟ ସ୍କୋର ୩୭ରେ ପହଞ୍ଚି ଯାଇଥିଲା। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ସାହା ୨୫ ରନ କରି ଡେବ୍ୟୁଟାଣ୍ଟ ରାଜବର୍ଦ୍ଧନ ହଙ୍ଗରେକରଙ୍କ ବଲରେ ଆଉଟ ହୋଇଯାଇଥିଲେ।

୩ନଂରେ ଗୁଜରାଟର ଇମ୍ପାକ୍ଟ ଖେଳାଳି ସାଇ ସୁଦର୍ଶନ ଆସିଥିଲେ। ଫିଲ୍ଡିଂ ବେଳେ କେନ ୱିଲିୟମସନ ଆହତ ହୋଇଥିବାରୁ ତାଙ୍କ ବଦଳରେ ସୁଦର୍ଶନ ଗୁଜରାଟ ପାଇଁ ଇମ୍ପାକ୍ଟ ଖେଳାଳି ରୂପରେ ଆସିଥିଲେ। ସେ ଗିଲ୍‌ଙ୍କ ସହ ମିଶି ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୯୦ରେ ପହଞ୍ଚାଇ ଦେଇଥିଲେ। ସେ ୧୭ ବଲରେ ୨୨ ରନ କରି ହଙ୍ଗରେକରଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଅଧିନାୟକ ପାଣ୍ଡ୍ୟା କେବଳ ୮ ରନ କରି ଜାଡେଜାଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଗୁଜରାଟର ସ୍କୋର ୧୩୮ ଥିବା ବେଳେ ଶୁବମନ ଗିଲ୍‌ ୬୩ ରନ କରି ତୁଷାର ଦେଶପାଣ୍ତେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ବିଜୟ ଶଙ୍କର ଶେଷ ଭାଗରେ ଧୈର୍ଯ୍ୟପୂର୍ଣ୍ଣ ୨୭ ରନ କରି ମ୍ୟାଚ୍‌ ଶେଷ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ଠିକଣା ସମୟରେ ହଙ୍ଗରେକର ଆଉଟ କରି ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ।

Comments are closed.