ରାଜ୍ୟରେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟିଂକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କୋରୋନା ସଂକ୍ରମଣ ବୃଦ୍ଧି ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟିଂ ଏହି ଷ୍ଟ୍ରାଟେଜିକୁ ଆହୁରି ମଜଭୁତ କରାଯିବ । ଟେଷ୍ଟିଂ ସଂଖ୍ୟା ଆହୁରି ବୃଦ୍ଧି କରାଯିବ । ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା । ଯେତେ ଶୀଘ୍ର ସମ୍ଭବ ଲୋକଙ୍କୁ ଟିକା ଦେବା ।’

ରାଜ୍ୟରେ ୧୦ ଲକ୍ଷ ୧୭ ହଜାର ୪୮ ଜଣଙ୍କୁ ଟିକାକରଣ ସରିଛି । ସେଥିମଧ୍ୟରୁ ୨ ଲକ୍ଷ ୬୫ ହଜାର ୬୭୯ ଜଣ ବୟସ୍କ ବ୍ୟକ୍ତି ରହିଛନ୍ତି । ତୁରନ୍ତ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରହିଛି । ସପ୍ତାହକରେ ଦୈନିକ ଲକ୍ଷେ ବୟସ୍କଙ୍କୁ ଟିକାକରଣ ପାଇଁ ଯୋଜନା ହୋଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୦୫୬ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୫ ହଜାର ୪୦୮ ରହିଥିବା ବେଳେ ୬୭୭ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.