ଆବଶ୍ୟକ ପଡିଲେ ବଜରଙ୍ଗଦଳକୁ ବ୍ୟାନ କରିବୁ ,,ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ପ୍ରୟୋଜନ ହେଲେ ବଜରଙ୍ଗ ଦଳ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ରାଜ୍ୟରେ ତାହାକୁ ନିଷିଦ୍ଧ ଘୋଷଣା କରିବା ଲାଗି ରାଜ୍ୟ ଆଇନ ବ୍ୟବସ୍ଥା ବିଚାର କରିବ ବୋଲି ବୁଧବାର ଦିନ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିଲେ ରାଜ୍ୟରେ ବଜରଙ୍ଗ ଦଳକୁ ନିଷିଦ୍ଧ ଘୋଷଣା କରିବ ବୋଲି ଚଳିତ ସପ୍ତାହ ପ୍ରାରମ୍ଭରେ ରିଲିଜ୍‌ କରିଥିବା ନିର୍ବାଚନୀ ଇସ୍ତାହାରରେ କର୍ଣ୍ଣାଟକ କଂଗ୍ରେସ ପ୍ରତିଶ୍ରୁତି ଦେଇଥିବା ପରିପ୍ରେକ୍ଷୀରେ ବଘେଲ୍‌ ଏକଥା କହିଛନ୍ତି।

ବଘେଲ୍‌ କିନ୍ତୁ କହିଛନ୍ତି ଯେ, ଦୁଇଟି ରାଜ୍ୟର ପରିସ୍ଥିତି ଭିନ୍ନ ହୋଇଥିବାରୁ କର୍ଣ୍ଣାଟକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଛତିଶଗଡ଼ ପାଇଁ ପ୍ରଯୁଜ୍ୟ ନ ହୋଇ ପାରେ।ଏଠାରେ ବି ବଜରଙ୍ଗୀମାନେ କିଛି କିଛି ବିଶୃଙ୍ଖଳା କରୁଛନ୍ତି, କିନ୍ତୁ ଆମେ ତାଙ୍କୁ ସୁଧାରି ଦେଉଛୁ। କର୍ଣ୍ଣାଟକ କଂଗ୍ରେସର ନିଷ୍ପତ୍ତି ଛତିଶଗଡ଼ରେ ଲାଗୁ ହେବା ଜରୁରୀ ନୁହେଁ। ଯଦି ଆବଶ୍ୟକ ହୁଏ ଆମେ ସେ ବିଷୟରେ ବିଚାର କରିବୁ। କର୍ଣ୍ଣାଟକର ସାମ୍ପ୍ରତିକ ପରିସ୍ଥିତି ଆଧାରରେ ଆମ ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତା ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଉପରୋକ୍ତ ଟିପ୍ପଣୀ ପାଇଁ ବଘେଲ୍‌ଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରଙ୍କୁ ରାଜ୍ୟର ବଜରଙ୍ଗ ଦଳ କର୍ମୀମାନେ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଛତିଶଗଡ଼ର ବରିଷ୍ଠ ‘ବ‌ିଜେପି’ ନେତା ବ୍ରଜମୋହନ ଅଗର୍‌ୱାଲ୍‌ କହିଛନ୍ତି, ପ୍ରଥମେ ସେମାନେ ରାମ ଜନ୍ମଭୂମୀ ପାଇଁ ପ୍ରମାଣ ମାଗିଲେ, ତା’ପରେ ରାମ ସେତୁ ଏବଂ ଏବେ ବଜରଙ୍ଗ ଦଳ ପ୍ରସଙ୍ଗ ଉଠାଇଛନ୍ତି। ଛତିଶଗଡ଼ବାସୀ ଏକଥା ସହ୍ୟ କରିବେ ନାହିଁ, ଆଗାମୀ ନିର୍ବାଚନରେ ସେମାନେ କଂଗ୍ରେସକୁ ଭୋଟ୍‌ ଦେବେନାହିଁ।

Comments are closed.