ହାଇକୋର୍ଟ ଦ୍ଵାରସ୍ଥ ହେଲା ଆପ
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି (ଆପ୍) କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଜାତୀୟ ଦଳ ଭାବେ ମାନ୍ୟତା ଦେବା ପାଇଁ ନିର୍ଦ୍ଦେଶ ମାଗିଛି। ‘ଆପ୍’ ରାଜ୍ୟ ଯୋଗାଯୋଗ ପ୍ରଭାରୀ ବ୍ରିଜେଶ କଲାପ୍ପା ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଚିହ୍ନ ଆଦେଶ ଅନୁଯାୟୀ ଦଳ ଏକ ଜାତୀୟ ଦଳ ହେବା ପାଇଁ ଯୋଗ୍ୟ।
‘ଏହାକୁ ନେଇ ଆମେ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଛୁ, ଯାହାର ଆଜି ଶୁଣାଣି ହେବ’। ବ୍ରିଜେଶ କଲାପ୍ପା କହିଛନ୍ତି ଯେ ଆମେ ଏକ ଜାତୀୟ ଦଳର ମାନ୍ୟତା ପାଇବୁ ବୋଲି ବିଶ୍ୱାସ ରଖିଛୁ।
ନିର୍ବାଚନ ଚିହ୍ନ (ସଂରକ୍ଷଣ ଓ ଆବଣ୍ଟନ) ଆଦେଶ, ୧୯୬୮ର ଧାରା ୬ବି ଅନୁଯାୟୀ, ଯେଉଁ ରାଜନୈତିକ ଦଳର ୪ରୁ ଅଧିକ ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ୍ ରହିଛି ସେମାନଙ୍କୁ ଜାତୀୟ ଦଳ ଭାବେ ଘୋଷଣା କରାଯିବା ଉଚିତ ବୋଲି ଆପ୍ ନେତା ଦର୍ଶାଇଛନ୍ତି। ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ପାଖାପାଖି ୧୪ ପ୍ରତିଶତ ଭୋଟ ପାଇ ଆପ୍ ଗତବର୍ଷ ଜାତୀୟ ଦଳର ମାନ୍ୟତା ପାଇବାକୁ ଯୋଗ୍ୟ ହୋଇଥିଲା।
ଭାରତୀୟ ନିର୍ବାଚନ କମିଶନ (ସିଇସି) ରାଜୀବ କୁମାର ଜାତୀୟ ସ୍ତରର ରାଜନୈତିକ ଦଳ ଭାବେ ଆପ୍ର ମାନ୍ୟତାକୁ ସମୀକ୍ଷା କରୁଛନ୍ତି ବୋଲି କହିବାର କିଛି ସପ୍ତାହ ପରେ ‘ଆପ୍’ କର୍ଣ୍ଣାଟକ ହାଇକୋର୍ଟରେ ଏହି ପିଟିସନ୍ ଦାଖଲ କରିଛି।
Comments are closed.