ହରିୟାଣା ରେଜଲ୍ଟ: ଭାଜପାକୁ ଜିତାଇଦେଲେ କେଜରିଓ୍ବାଲ!
ହରିୟାଣା ନିର୍ବାଚନର ଅନ୍ତିମ ଫଳାଫଳ ସାମ୍ନାକୁ ଆସିଛି। ରାଜ୍ୟରେ ୯୦ ଆସନରୁ ଭାଜପା ୪୮ଟି ଆସନ ପାଇଛି। ସେହିପରି କଂଗ୍ରେସ ମାତ୍ର ୩୯ଟି ଆସନ ହାତେଇ ପାରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାଜପା ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ। କିନ୍ତୁ ଏପରି ହୋଇନାହିଁ। ପୂର୍ବରୁ ୧୦ବର୍ଷ ଧରି କ୍ଷମତାସୀନ ଦଳ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଛି।
ତେବେ କଂଗ୍ରେସ ହାରିବାର କାରଣ ଜାଟ୍ ଭୋଟ କୁହାଯାଉଥିବାବେଳେ ରାଜନୈତିକ ବିଶେଷଜ୍ଞ ପରାଜୟର ସବୁଠାରୁ ବଡ଼ କାରଣ ଅନ୍ୟକିଛି କହୁଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଯେଉଁ ଆସନଗୁଡିକରେ କଂଗ୍ରେସର ପରାଜିତ ହୋଇଛି ତା’ର ସବୁଠାରୁ ବଡ କାରଣ ହେଉଛି ଆମ ଆଦମୀ ପାର୍ଟି ପ୍ରାର୍ଥୀ। କାରଣ କଂଗ୍ରେସ ଭୋଟ ଏଏପିକୁ ଯାଇଛି।
ଯଦିଓ AAP ହରିୟାଣାରେ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇନାହିଁ, ଦଳ ଜମ୍ମୁ କଶ୍ମୀରରେ ଗୋଟିଏ ଆସନ ଜିତିଛି। ଏନେଇ ଗତକାଲି କେଜରିଓ୍ବାଲ କହିଛନ୍ତି ଯେ, ଜମ୍ମୁ କଶ୍ମୀର ହେଉଛି ପଞ୍ଚମ ରାଜ୍ୟ, ଯେଉଁଠାରେ ଆମ ଆଦମୀ ପାର୍ଟିର ଜଣେ ବିଧାୟକ ବିଜୟୀ ହୋଇଛନ୍ତି। ଆମ ଆଦମୀ ପାର୍ଟିର ପ୍ରାର୍ଥୀ ମେହେରାଜ ମଲିକ ଦୋଡା ଠାରୁ ଭାଜପା ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।
ସୂଚନାଥାଉ କି, ହରିୟାଣା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଏଏପି ନିଜ ପ୍ରାର୍ଥୀଙ୍କୁ ୮୯ ଟି ଆସନରେ ଛିଡା କରାଇଥିଲା। ହେଲେ ଗୋଟିଏ ବି ଆସନ ଦଖଲ କରିପାରିଲା ନାହିଁ।
Comments are closed.