ବନ୍ୟା ପାଇଁ ଜାରିହେଲା ଗାଇଡ଼ ଲାଇନ୍
ଭୁବନେଶ୍ୱର : ରାଜ୍ୟରେ ଚଳିତବର୍ଷ ବନ୍ୟାର ବିତ୍ପାତ ଦେଖାଯାଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମହାନଦୀ ଓ ଏହାର ଶାଖା ନଦୀ, ବେତରଣୀ, ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସି ତାଣ୍ଡବ ରଚିଛି । ଏହାର କ୍ଷୟକ୍ଷତି ଆକଳନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ଯେଉଁ ସବୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି କ୍ଷତିର ଆକଳନ କରାଯାଇ ଲୋକଙ୍କୁ ସରକାରୀ ସହାୟତା ମିଳିବ ଓ ଯେପର କୌଣସି ହେରଫେର ନହେବ ସେନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।
ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ସମ୍ପତ୍ତି, ଲୋକଙ୍କ ଘର, ରାସ୍ତା ଘାଟ, ଫସଲ ଆଦିର ରିପୋର୍ଟ ଦେବାବେଳେ ଜିଓ ଟ୍ୟାଗିଂ ଫଟୋ, ତାରିଖ ଓ ସମୟ ଲେଖାଥିବା ଫଟୋ ଦେବାକୁ କୁହାଯାଇଛି । ଏହାକୁ ଭିତ୍ତିକରି ଜିଲ୍ଲାପାଳମାନେ କ୍ଷେତ୍ରସ୍ତରରୁ ରିପୋର୍ଟ ସଂଗ୍ରହ କରି ପଠାଇବାକୁ କୁହାଯାଇଛି ।
ସେହିପରି ବନ୍ୟାରେ ଉପରୋକ୍ତ ନଦୀଗୁଡିକରେ ବହୁ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିବାବେଳେ ଘାଇ ସୃଷ୍ଟି ହୋଇଛି । ଏବେ ବର୍ଷା ଋତୁ ସରିନଥିବାବେଳେ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ମୌସୁମୀ ଜନିତ ବର୍ଷା ହେବାର ସମ୍ଭାବନା ଅଛି । ଏପରିକି ଅକ୍ଟୋବର ମାସରେ ବାତ୍ୟା ଆଶଙ୍କା ଅଛି ।
ତେଣୁ ଲଗାଣ ବର୍ଷା ହେଲେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଆଗକୁ ଯେପରି କ୍ଷୟକ୍ଷତି ନହେବ ତାହାକୁ ନଜରରେ ରଖି ତୁରନ୍ତ ସମସ୍ତ ଘାଇ ଓ ଘଳିଆ ବନ୍ଦ କରିବାକୁ ଏସ୍ଆରସିଙ୍କ ପକ୍ଷରୁ ଜଳସମ୍ପଦ ବିଭାଗକୁ କୁହାଯାଇଛି ।
Comments are closed.