ଓଡ଼ିଶାରେ ଥିଲା ଗୁଡ୍ଦୁ ମୁସଲିମ୍

ନୂଆଦିଲ୍ଲୀ :ଗୁଳିମାଡ଼ରେ ପ୍ରାଣ ହରାଇଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମଦଙ୍କ ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମର ଓଡ଼ିଶା ଲିଙ୍କକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଥିବା ଏହି କୁଖ୍ୟାତ ଅପରାଧୀ ଗୁଡୁ ମୁସଲିମ ଓଡ଼ିଶାର ବରଗଡ଼ରେ ୧୨ ଦିନ ଲୁଚି ରହିଥିଲା।

ସବୁବେଳେ କ୍ଲିନସେଭ ହେଉଥିବା ଗୁଡୁ ମୁସଲିମ ଏବେ ପୁଲିସ୍‌କୁ ଚକମା ଦେବା ପାଇଁ ଦାଢ଼ି ମଧ୍ୟ ବଢ଼ାଇଛି। ଓଡ଼ିଶାରେ କିଛି ଦିନ ରହିବା ପରେ ବର୍ତ୍ତମାନ ସେ ଛତିଶଡ଼ଗରେ ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁଡୁ ମୁସଲିମର ଶେଷ ଠିକଣା ଓଡ଼ିଶାର ବରଗଡ଼ରେ ରହିଥିଲା। ସେ ଓଡ଼ିଶାରେ ଏପ୍ରିଲ ୨ରୁ ୧୩ ତାରିଖ ଯାଏ ରହିଥିଲା। ସେ ୧୨ ଦିନ ଓଡ଼ିଶାରେ ଲୁଚି ଥିବା ଉତ୍ତର ପ୍ରଦେଶ ପୁଲିସର ଏସଟିଏଫ ଜାଣିବା ପରେ ତାକୁ ଧରିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ୍‌ ତା’ ପାଖରେ ପହଞ୍ଚିବା ପୂର୍ବରୁ ସେ ‍ଫେରାର ହୋଇ ଯାଇଥିଲା। ତେବେ ସେ ଗୋଟିଏ ବ୍ୟାଗ ଛାଡ଼ି ଯାଇଥିଲା। ପୁଲିସ୍‌ ଉକ୍ତ ବ୍ୟାଗରୁ ଗୁଡୁ ମୁସଲିମର କିଛି ପୋଷାକ ଜବତ କରିଛି।

ଉତ୍ତର ପ୍ରଦେଶ ଏସଟିଏଫ ଓଡ଼ିଶାର ବରଗଡ଼ରେ ପହଞ୍ଚିବା ପରେ ୨ ଦିନ ରହିଥିଲା। ଏହି ସମୟରେ ଗୁଡୁ ମୁସଲିମର ସହଯୋଗୀ କୁହାଯାଉଥିବା ରାଜା ଖାନଙ୍କୁ ପଚରାଉଚରା କରିଥିଲା। ସେ ପୁଲିସ୍‌କୁ କହିଛନ୍ତି ଯେ ଗୁଡୁ ମୁସଲିମ ଏବେ ଦାଢ଼ି ବଢ଼ାଇଛି। ପୁଲିସ୍‌କୁ ଚକମା ଦେବା ପାଇଁ ସେ ଦାଢ଼ି ବଢ଼ାଇବା ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୁଲିବାରେ ଲାଗିଛି।

Comments are closed.