ନୂଆରୁ ଆରମ୍ଭ କଲେ ଗୁଲାମ

ଜମ୍ମୁ: କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରିଥିବା ପୂର୍ବତନ ସାଂସଦ ଗୁଲାମ୍‌ ନବୀ ଆଜାଦ୍‌ ଆଜି ଜମ୍ମୁ ଓ କଶ୍ମୀରରେ ନିଜସ୍ବ ଦଳର ପ୍ରଥମ ୟୁନିଟ୍‌ ଆରମ୍ଭ କରି ତାଙ୍କ ନୂତନ ରାଜନୈତିକ ଜୀବନର ଅୟମାରମ୍ଭ କରିବେ।
ଏଥିପାଇଁ, ଆଜି ୧୧ଟା ବେଳେ ଜମ୍ମୁ ବିମାନ ବନ୍ଦରରେ ପହଞ୍ଚିବା ପରେ ସମର୍ଥକମାନେ ୭୩ ବର୍ଷିୟ ଆଜାଦ୍‌ଙ୍କୁ ଭବ୍ୟ ସ୍ବାଗତ ଜଣାଇବେ। ସେଠାରୁ ସେ ସୈନିକ ଫାର୍ମ ଯାଇ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏହି ସଭାରେ ପ୍ରାୟ ୨୦,୦୦୦ ଜନସମାବେଶ ହେବ ବୋଲି ଆଶା କରାଯାଉଛି। ସେହି ସଭାସ୍ଥଳରେ ହିଁ ଆଜାଦ୍‌ ତାଙ୍କ ଜାତୀୟସ୍ତରୀୟ ଦଳ ଘୋଷଣା କରିବାର ସମ୍ଭାବନା ରହିଛି।

କଂଗ୍ରେସ ସହିତ ଥିବା ୫ ଦଶନ୍ଧିର ସମ୍ପର୍କକୁ ଅଗଷ୍ଟ ୨୬ ତାରିଖ ଦିନ ଶେଷ କରି ଆଜାଦ୍‌ କଂଗ୍ରେସକୁ ‘ସବୁ ଦୃଷ୍ଟିରୁ ନଷ୍ଟ’ ହୋଇଯାଇଥିବା ଦଳ କହିବା ସହ ଦଳର ପରାମର୍ଶଦାତା ବ୍ୟବସ୍ଥାକୁ ଧ୍ବଂସ କରିଥିବା ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ।

ଶନିବାର ଦିନ କଂଗ୍ରେସ ମଧ୍ୟ ଆଜାଦ୍‌ଙ୍କୁ ସମ‌ାଲୋଚନା କରି କହିଥିଲା କି, ଆଜାଦ୍‌ଙ୍କ ‘ଡିଏନ୍‌ଏ’ ‌‘ମୋଦୀ-ଫାଏଡ୍‌’ (ଅର୍ଥାତ୍‌ ମୋଦୀଙ୍କ ଆଡ଼କୁ ପରିବର୍ତ୍ତିତ) ହୋଇଯାଇଛି । ଏହାର ପ୍ରତ୍ୟୁତ୍ତରରେ ଆଜାଦ୍‌ ମଧ୍ୟ କହିଥିଲେ ଯେ, ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ଭେଟିବା ଏବଂ କଥାବାର୍ତ୍ତା କଲେ କାହାର ‘ଡିଏନ୍‌ଏ’ ବଦଳିଯାଏ ନାହିଁ।

Comments are closed.